କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ କଳାହାଣ୍ଡି ଜିଲା କେସିଙ୍ଗା ସହର ଗୌରୀଶଙ୍କର ମନ୍ଦିର ଗଳିର ଝିଅ କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ (୪ର୍ଥ) ର଼୍ୟାଙ୍କ ହାସଲ କରିଛନ୍ତି। ତାଙ୍କର ଏହି ଅସାଧାରଣ କୃତିତ୍ୱ ଜିଲା ତଥା ସ୍ଥାନୀୟ ଅଞ୍ଚଳ ପାଇଁ ବଡ଼ ଗୌରବ ଆଣିଦେଇଛି।
କନକ ଓଡ଼ିଶା ପ୍ରଶାସନିକ ସେବା, ୨୦୨୪-୨୫ ପରୀକ୍ଷାରେ ଅତି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ତାଙ୍କର ଏହି ସଫଳତା ସ୍ଥାନୀୟ ଯୁବପିଢ଼ୀଙ୍କୁ ବିଶେଷ କରି ଜିଲାର ଛାତ୍ରୀମାନଙ୍କୁ ପ୍ରଶାସନିକ ସେବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ବେଶ ପ୍ରେରିତ କରିବ।
କନକ ରାଜ୍ୟ ସ୍ତରରେ ଶୀର୍ଷ ୪ର୍ଥ ସ୍ଥାନରେ ରହିଥିବା ଖବର ପ୍ରସାରିତ ହେବା ପରେ କେସିଙ୍ଗା ସହର ସମେତ ସମଗ୍ର କଳାହାଣ୍ଡି ଜିଲାରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ପଡ଼ୋଶୀମାନେ ଅତି ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କେସିଙ୍ଗାର ବିଭିନ୍ନ ମହଲ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଏବଂ ଜିଲାବାସୀଙ୍କ ତରଫରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଗାମୀ ଦିନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାର ସେବା କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।