କେରଳ ମଡେଲ ଅନୁକରଣୀୟ

ଡ. ସନ୍ତୋଷ କୁମାର ମହାପାତ୍ର

ଦାରିଦ୍ର୍ୟ ଏକ ଭୟଙ୍କର ସମସ୍ୟା। ଚରମ ବା ଅତି ଦାରିଦ୍ର୍ୟ ଦୂରୀକରଣ କରିବାରେ କେରଳ ଭାରତର ପ୍ରଥମ ରାଜ୍ୟଭାବେ ଉଭାହୋଇଛି। ୨୦୨୫ ନଭେମ୍ବର ୧ରେ ରାଜ୍ୟର ୬୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ଘୋଷଣା କରିଛନ୍ତି। ଦାରିଦ୍ର୍ୟ ହାର ୧୯୭୩-୭୪ ରେ ୫୯.୮%ଥିଲାବେଳେ ୨୦୧୧-୧୨ ରେ ୧୧.୩%କୁ ହ୍ରାସପାଇଥିଲା। ନୀତି ଆୟୋଗର ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (୨୦୨୩) ଅନୁସାରେ କେରଳର ଦାରିଦ୍ର୍ୟ ହାର ମାତ୍ର ୦.୫୫% ଥିଲା ଯାହା ସବୁ ରାଜ୍ୟ ତୁଳନାରେ ଆପାତତଃ କମ୍‌ ମଧ୍ୟ ଥିଲା। ସେହି ସମୟରେ ବହୁମୁଖୀ ଦାରିଦ୍ର୍ୟ ହାର ଜାତୀୟ ସ୍ତରରେ ହାରାହାରି ୧୪.୯୬% ଥିଲା। ସାଧାରଣତଃ ଦାରିଦ୍ର୍ୟ ସୀମାରେଖା ଯେଉଁ ମାନଦଣ୍ଡ ବା ପଦ୍ଧତ୍ତିରେ ଆକଳନ କରାଯାଉଛି ତାହା ଜଣକୁ ଏକ ସୁନ୍ଦର ଜୀବନ ବିତାଇବା ସମ୍ଭବ ନୁହେଁ। କିନ୍ତୁ ତାହା ସତ୍ତ୍ୱେ ଯେଉଁ ମାନଦଣ୍ଡରେ ଆକଳନ କରାଯାଉନା କାହିଁକି, ଅତି ଦାରିଦ୍ର୍ୟ ଦୂରୀକରଣ ଦୃଷ୍ଟିରୁ କେରଳ ସବୁ ରାଜ୍ୟ ଠାରୁ ଆଗରେ। ଅତି ଦାରିଦ୍ର୍ୟ ହେଉଛି ଦାରିଦ୍ର୍ୟର ସବୁଠାରୁ ଗମ୍ଭୀର ରୂପ, ଯାହା ଖାଦ୍ୟ, ପାଣି, ପରିମଳ, ସ୍ବାସ୍ଥ୍ୟ ଏବଂ ଆଶ୍ରୟ ପରି ମୌଳିକ ଆବଶ୍ୟକତାର ଅଭାବ ଦ୍ୱାରା ଚିହ୍ନିତ। ବିଶ୍ୱବ୍ୟାଙ୍କ ଏହାକୁ ପ୍ରାୟତଃ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ପରିମାଣରୁ କମ୍‌ ଟଙ୍କାରେ ଜୀବନଯାପନ କରିବା ଭାବରେ ପରିଭାଷିତ କରିଥାଏ, ଯାହା ଦେଶଗୁଡ଼ିକ ମଧ୍ୟରେ ମୁଦ୍ରାସ୍ଫୀତି ଏବଂ ଜୀବନଯାପନ ଖର୍ଚ୍ଚ ପାର୍ଥକ୍ୟକୁ ନେଇ ସ୍ଥିର କରାଯାଇଥାଏ। ବିଶ୍ୱବ୍ୟାଙ୍କ ଆନୁଷ୍ଠାନିକ ଭାବରେ ଏହାର ଅନ୍ତର୍ଜାତୀୟ ଅତି ବା ଚରମ ଦାରିଦ୍ର୍ୟ ସୀମାକୁ ପ୍ରତିଦିନ ୨୦୨୧ କ୍ରୟ ଶକ୍ତି ସମତା (ପିପିପି) ଅନୁସାରେ ୩ ଡଲାର ଆୟକୁ ବୃଦ୍ଧି କରିଛି। ଏହା ପୂର୍ବରୁ ତାହା ୨.୧୫ ଡଲାର (୨୦୧୭ କ୍ରୟ ଶକ୍ତି ସମତା) ଥିଲା। ଜୁନ୍‌ ୨୦୨୫ରେ ଘୋଷଣା କରାଯାଇଥିବା ଏହି ସଂଶୋଧନ ନିମ୍ନ-ଆୟକାରୀ ଦେଶଗୁଡ଼ିକରେ ଜୀବନଯାପନ ଖର୍ଚ୍ଚର ଏକ ବାସ୍ତବବାଦୀ ଆକଳନ କରିଥାଏ।
କେରଳର ଜନସଂଖ୍ୟା ଭାରତ ଜନସଂଖ୍ୟାର ୨.୮% ଏବଂ ଏହାର ଭୂମି ଦେଶର କ୍ଷେତ୍ରଫଳର ୧.୨%। ଭାରତର ଜିଡିପିରେ କେରଳ ଅବଦାନ ୪%ରୁ ଅଧିକ ରହିଛି। କେରଳର ବିକାଶ ସଫଳତା, ଯାହାକୁ ପ୍ରାୟତଃ ‘କେରଳ ଘଟଣା’ କିମ୍ବା ‘କେରଳ ମଡେଲ’ କୁହାଯାଏ, ତାହା ଉଚ୍ଚ ମାନବ ବିକାଶ ସୂଚକାଙ୍କ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଉପରେ ପର୍ଯ୍ୟବସିତ। ଏହି ମଡେଲ ମୁଖ୍ୟତଃ ଇ.ଏମ୍‌.ଏସ୍‌. ନମ୍ବୁ୍ରଦିପଦଙ୍କ ନେତୃତ୍ୱରେ ରାଜ୍ୟର ପ୍ରଥମ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଦ୍ୱାରା ଆରମ୍ଭ ହୋଇଥିବା ଭୂମି ସଂସ୍କାର, ସାମାଜିକ ଉନ୍ନତି , ସକ୍ରିୟ ନାଗରିକ ସମାଜ ଅଂଶଗ୍ରହଣରୁ ଉତ୍ପନ୍ନ ହୋଇଥିଲା ଏବଂ ଏକ ସାମାଜିକ ଗଣତାନ୍ତ୍ରିକ କଲ୍ୟାଣ ଆଭିମୁଖ୍ୟ ମାଧ୍ୟମରେ ଏହାକୁ ବଜାୟ ରଖାଯାଇଛି। ମେ ୨୦୨୧ରେ ପିନାରାୟୀ ବିଜୟନଙ୍କ ନେତୃତ୍ୱରେ ବାମପନ୍ଥୀ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ଅତି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (ଇପିଇପି) ଆରମ୍ଭ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ରାଜ୍ୟ ସରକାର ଏକ ୪ ବର୍ଷିଆ ଯୋଜନା ହାତକୁ ନେଇଥିଲେ। ୪ ଲକ୍ଷ ଗଣନାକାରୀ ୬୪,୦୦୬ ଦୁର୍ବଳ ପରିବାରକୁ ଚିହ୍ନଟ କରିଥିଲେ।
ଏହାର ମୁକାବିଲା ପାଇଁ ପ୍ରୟାସରେ ସରକାରୀ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ସିଧାସଳଖ ନଗଦ ସ୍ଥାନାନ୍ତର ଅନ୍ତର୍ଭୁକ୍ତ, ଯାହା ଯୋଗୁ କିଛି ଅଞ୍ଚଳରେ ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ ପାଇଛି।
କେବଳ ଆୟର ଅଭାବ ନୁହେଁ ଖାଦ୍ୟ, ଆଶ୍ରୟ ଏବଂ ସ୍ବାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ନ ଥିବା ପରିବାରଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଆଗରୁ ବିଭିନ୍ନ ପ୍ରକାର ପଦକ୍ଷେପ ଯଥା ଭୂସଂସ୍କାର, ସାର୍ବଜନୀନ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା, ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ମହିଳାଙ୍କ ସଶକ୍ତୀକରଣ ପାଇଁ କୁଡୁମ୍ବଶ୍ରୀ ମିଶନ କାର୍ଯ୍ୟକାରୀ କରାଯାଇଥିଲା। ସମ୍ପ୍ରତି ପ୍ରତ୍ୟେକ ପରିବାର ପାଇଁ କ୍ଷୁଦ୍ର, ମଧ୍ୟମ ଏବଂ ଦୀର୍ଘକାଳୀନ ପର୍ଯ୍ୟାୟରେ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣକରିବା ପାଇଁ ବ୍ୟକ୍ତିଗତ, ଉପଯୁକ୍ତ ସୂକ୍ଷ୍ମ-ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୧୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହ ସରକାର ୨୦,୬୪୮ ପରିବାର ପାଇଁ ଦୈନିକ ଖାଦ୍ୟ ସୁନିଶ୍ଚିତ କରିଥିଲେ। ସେମାନଙ୍କ ମଧ୍ୟରୁ ୨,୨୧୦ ପରିବାର ଗରମ ଖାଦ୍ୟ ପାଉଛନ୍ତି। ୮୫,୭୨୧ ଜଣଙ୍କୁ ଆବଶ୍ୟକ ଚିକିତ୍ସା ଏବଂ ଔଷଧ ଯୋଗାଇଛନ୍ତି। ୪୬୭୭ ବାସହୀନ ପରିବାର ଚିହ୍ନଟ କରାଯାଇଥିଲା ଏବଂ ୪,୦୦୦ରୁ ଅଧିକ ପରିବାରଙ୍କୁ ଜୀବନ ମିଶନ ଯୋଜନାରେ ଗୃହ ଯୋଗାଇ ଦିଆଯାଇଥିଲା। ୫,୪୦୦ରୁ ଅଧିକ ନୂଆ ଘର ନିର୍ମାଣ ହୋଇଛି କିମ୍ବା ନିର୍ମାଣାଧୀନ ଅଛି। ୫,୫୨୨ ଘର ମରାମତି କରାଯାଇଛି ଏବଂ ୨,୭୧୩ ଭୂମିହୀନ ପରିବାର ବାସସ୍ଥାନ ନିର୍ମାଣ ପାଇଁ ଜମି ପାଇଛନ୍ତି। ଅତ୍ୟାବଶ୍ୟକ ସେବା ଯଥା ଆଧାର କାର୍ଡ, ରାଶନ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ପେନ୍‌ସନ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଉପଲବ୍ଧତା ସୁନିଶ୍ଚିତ କରାଯାଇଥିଲା। ୨୧,୨୬୩ ଜଣ ପ୍ରଥମ ଥର ପାଇଁ ରାଶନ କାର୍ଡ, ଆଧାର ଏବଂ ପେନ୍‌ସନ ଭଳି ଜରୁରୀ କାଗଜପତ୍ର ପାଇଥିଲେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସ୍ଥିର ଭାବରେ କାମ କରିପାରୁ ନ ଥିବା ଲୋକଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ଭଳି ସ୍ଥାୟୀ ଆୟ ଉତ୍ସ ସୃଷ୍ଟିକରିବା ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପ ସ୍ଥାନୀୟ ସ୍ବାୟତ୍ତ ଶାସନ ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏଥିରେ ସ୍ଥାନୀୟ ସଂସ୍ଥା ଏବଂ କୁଡୁମ୍ବଶ୍ରୀ ଭଳି ସଂଗଠନର ଘନିଷ୍ଠ ସହଯୋଗ ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ସରକାରୀ ବିଭାଗ, ମିଶନ ଏବଂ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ସୂକ୍ଷ୍ମ-ଯୋଜନାଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକାଠି କାମ କରିଥିଲେ। ଏହି କାର୍ଯ୍ୟକ୍ରମ ଯୋଗୁ ୧,୦୩,୦୯୯ଲୋକ ଦାରିଦ୍ର୍ୟରୁ ଉପରକୁ ଉଠିଥିଲେ।
କେବଳ ଦାରିଦ୍ର୍ୟ ହ୍ରାସ କାହିଁକି ମାନବ ଉନ୍ନୟନ ସୂଚକାଙ୍କ, ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ଓ ସ୍ବାକ୍ଷରତା ହାର ଦୃଷ୍ଟିରୁ କେରଳ ୧ ନମ୍ବର। କେରଳରେ ସାକ୍ଷରତା ହାର ୯୯ % , ଯାହା ସର୍ବାଧିକ। ହାରାହାରି ଜୀବନର ଆୟୁ ୭୭.୩ ବର୍ଷ ଏବଂ ସର୍ବାଧିକ ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷରେ ୧,୦୮୪ ମହିଳା। ଜନସଂଖ୍ୟା ବୃଦ୍ଧି ହାର କମ୍‌। ଏହା ଦ୍ୱିତୀୟ ସର୍ବାଧିକ ସହରୀକରଣ ରାଜ୍ୟ। କେରଳ ଭାରତରେ ସର୍ବାଧିକ ଗଣମାଧ୍ୟମ ପ୍ରସାରଣର ରାଜ୍ୟ। ମୁଖ୍ୟତଃ ୯ଟି ଭାଷାରେ ଖବରକାଗଜ ପ୍ରକାଶିତ ହୁଏ। ମୁଖ୍ୟତଃ ମାଲୟାଲମ ଏବଂ ଇଂରାଜୀ। ନ୍ୟାଶନାଲ ଜିଓଗ୍ରାଫିକ ଟ୍ରାଭେଲର ଦ୍ୱାରା ବିଶ୍ୱର ଦଶଟି ସ୍ବର୍ଗ ମଧ୍ୟରୁ ଗୋଟିଏ ଭାବରେ ନାମିତ, କେରଳ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ବାଲୁକାମୟ ବେଳାଭୂମି, ହିଲ୍‌ଷ୍ଟେଶନ, ଆୟୁର୍ବେଦିକ ପର୍ଯ୍ୟଟନ ଏବଂ ଉଷ୍ଣକଟିବନ୍ଧୀୟ ସବୁଜିମା ଏହାର ପ୍ରମୁଖ ଆକର୍ଷଣ। କେରଳ ଏକ ସ୍କାଣ୍ଡିନେଭିଆନ ଦେଶ ନୁହେଁ, କିନ୍ତୁ ଏହାର ଉଚ୍ଚ ସାମାଜିକ ବିକାଶ ସୂଚକାଙ୍କ ଏବଂ ମାନବ ବିକାଶ ସୂଚକାଙ୍କ ଯୋଗୁ ଏହାକୁ ପ୍ରାୟତଃ ‘ଭାରତର ସ୍କାଣ୍ଡିନେଭିଆ’ କୁହାଯାଏ। ଏକଥା ଲଣ୍ଡନରୁ ପ୍ରକାଶିତ ‘ଦି ଇକୋନୋମିଷ୍ଟ’ ନାମକ ପ୍ରଖ୍ୟାତ ମାଗାଜିନ ଉଲ୍ଲେଖ କରିଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଭଳି କ୍ଷେତ୍ରରେ କେରଳର ସଫଳତାକୁ ପ୍ରାଧାନ୍ୟ ପାଇଁ ଏହି ତୁଳନା କରାଯାଏ, ଯାହା ପ୍ରାୟତଃ ସ୍କାଣ୍ଡିନେଭିଆନରେ ଦେଖାଯାଏ। ବିକଶିତ ଦେଶ ତୁଳନାରେ ମୁଣ୍ଡ ପିଛା ଆୟ ତୁଳନାତ୍ମକ ଭାବରେ କମ୍‌ ଥିବା ସତ୍ତ୍ୱେ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଖାଦ୍ୟ ଯୋଗାଣ ଭଳି କ୍ଷେତ୍ରରେ କେରଳ ଏହାର ଦୃଢ଼ ସାମାଜିକ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ। ଏଣୁ କେରଳ ମଡେଲ ଅନୁକରଣୀୟ।
ମୋ:୯୪୩୭୨୦୮୭୬୨

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri