ନୂଆଦିଲ୍ଲୀ, ୨୦।୧୦: କେରଳ ପିରବି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି କେରଳ ସରକାର। ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଓ ମହଙ୍ଗା ରିଲିଫ (ଡିଆର୍)ରେ ୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ୱାରା ମହଙ୍ଗା ଭତ୍ତା ହାର ୩୫ ପ୍ରତିଶତରୁ ବୃଦ୍ଧି ପାଇ ୩୭ ପ୍ରତିଶତ ହୋଇଛି। ଏହି ବୃଦ୍ଧି ନଭେମ୍ବର ୧ରୁ ଲାଗୁ ହେବ ବୋଲି ଜଣାପଡ଼ିଛି।
ରାଜ୍ୟର ଅର୍ଥ ବିଭାଗ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସର ଦରମା ସହ ଦିଆଯିବ। ଏହି ଦରମା ନଭେମ୍ବରରେ ମିଳିବ। ସେହିପରି ସଂଶୋଧିତ ମହଙ୍ଗା ରିଲିଫ ନଭେମ୍ବର ୨୦୨୬ର ପେନ୍ସନ ସହ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ଯୋଗୁ ସରକାରଙ୍କ ଉପରେ ପ୍ରତି ମାସରେ ପ୍ରାୟ ୯୬ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।
ସରକାରୀ ଆଦେଶରେ କୁହାଯାଇଛି ଯେ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକ ମହଙ୍ଗା ଭତ୍ତା ବୃଦ୍ଧି ବାବଦରେ ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚ ନିଜସ୍ବ ପାଣ୍ଠିରୁ ବହନ କରିବେ। ଅନ୍ୟପଟେ, ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବାକୁ ଥିବା ବକେୟା ରାଶି ସମ୍ପର୍କରେ ପରବର୍ତ୍ତୀ ସମୟରେ ପୃଥକ ଆଦେଶ ଜାରି କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
କେରଳର ସରକାରୀ କର୍ମଚାରୀମାନେ ଦୀର୍ଘ ସମୟ ଧରି ମହଙ୍ଗା ଭତ୍ତା ବୃଦ୍ଧି ଦାବି କରିଆସୁଥିଲେ। ଏହା ପୂର୍ବରୁ ଫେବୃଆରୀ ୨୦୨୬ରେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ୨୫ ପ୍ରତିଶତରୁ ବୃଦ୍ଧି କରି ୩୫ ପ୍ରତିଶତ କରାଯାଇଥିଲା। ଏବେ ଆଉ ୨ ପ୍ରତିଶତ ବୃଦ୍ଧି ଫଳରେ କର୍ମଚାରୀ ଓ ପେନସନଭୋଗୀଙ୍କୁ ଆଶ୍ୱସ୍ତି ମିଳିବ।
ଏହି ନିଷ୍ପତ୍ତିରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ଶିକ୍ଷକ, ଅନୁଦାନପ୍ରାପ୍ତ ସ୍କୁଲ, କଲେଜ ଓ ପଲିଟେକ୍ନିକ୍ର କର୍ମଚାରୀ, ଫୁଲ-ଟାଇମ କଣ୍ଟିଜେଣ୍ଟ କର୍ମଚାରୀ, ସ୍ଥାନୀୟ ସୱାୟତ୍ତ ଶାସନ ସଂସ୍ଥାର କର୍ମଚାରୀ ଏବଂ ପାର୍ଟ-ଟାଇମ ଶିକ୍ଷକମାନେ ଉପକୃତ ହେବେ। ଏହା ବ୍ୟତୀତ ପେନ୍ସନଭୋଗୀ, ପରିବାର ପେନ୍ସନଭୋଗୀ ଓ ଏକ୍ସ-ଗ୍ରାଟିଆ ପେନ୍ସନଭୋଗୀମାନେ ମଧ୍ୟ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହାର ଲାଭ ପାଇବେ।
କେରଳ ରାଜ୍ୟ ସଡ଼କ ପରିବହନ ନିଗମ (କେଏସଆର୍ଟିସି) ପରି ସାର୍ବଜନୀନ କ୍ଷେତ୍ରର କେତେକ ନିଗମର କର୍ମଚାରୀମାନେ ଏହି ବୃଦ୍ଧିରୁ ବାଦ ପଡ଼ିପାରନ୍ତି। ତେବେ ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ନିୟମ ଅନୁସରଣ କରୁଥିବା ସାର୍ବଜନୀନ ଉଦ୍ୟୋଗ (ପିଏସ୍ୟୁ), ସରକାରୀ ନିଗମ, ସୱୟଂଶାସିତ ସଂସ୍ଥା, ବୋର୍ଡ ଓ ଅନୁଦାନପ୍ରାପ୍ତ ଅନୁଷ୍ଠାନର କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ମଧ୍ୟ ନିର୍ଦ୍ଧାରିତ ସର୍ତ୍ତ ପୂରଣ କଲେ ଏହି ସୁବିଧା ପାଇପାରିବେ।