୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ ୬ ଓ ୭ ଦୁଇଦିନ ଧରି ଟ୍ରଫି କେନ୍ଦୁଝର ଜିଲା ପରିକ୍ରମା କରିବ। ଟ୍ରଫିକୁ ଭବ୍ୟ ସ୍ବାଗତ ଜଣାଇବା ନିମନ୍ତେ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ବିମଳାଠାରେ ଢେଙ୍କାନାଳ ଜିଲା ପ୍ରଶାସନଠାରୁ ହକି ବିଶ୍ୱକପ୍‌ ଟ୍ରଫିକୁ କେନ୍ଦୁଝର ଜିଲା ପ୍ରଶାସନ ତରଫରୁ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ତେଲକୋଇ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌କୁ ଅଣାଯିବ । ଜାନୁଆରୀ ୬ ସନ୍ଧ୍ୟାରେ ଟ୍ରଫି କେନ୍ଦୁଝର ଜିଲା ସଦର ମହକୁମାସ୍ଥ ସର୍କିଟ୍‌ ହାଉସ୍‌ଠାରେ ପହଞ୍ଚତ୍ବ। ୭ରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ହକି ବିଶ୍ୱକପ୍‌ ଟ୍ରଫିକୁ ଅଣାଯିବ। ଏହି ସମୟରେ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ କରାଯିବ। ଏ ନେଇ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତପନ ନାଏକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଚମ୍ପୁଆର ଜୟଶ୍ରୀ ମଲ୍ଲିକ୍‌, ଡିଏସ୍‌ପି. ଡି.ଆଇ.ବି. ଇନ୍ଦୁମତି ପଶ୍ଚିମକବାଟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆନନ୍ଦପୁର ଉପଜିଲାପାଳ ଅନୀଲ ସେଠୀ, ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝୀ, ଜିଲାସ୍ତରୀୟ ଅଧିକାରୀ, ଜିଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତିଥିଲେ।