କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍ ଡିଭିଜନ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ି (OD 29 S 6644) କୁ ମଧ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଜଣେ ଠିକାଦାରଙ୍କ ବିଲ୍ ଫାଇନାଲ୍ କରିଦେବା ପାଇଁ ଏଇ ଶ୍ରୀମତୀ ସାହୁ ଲାଞ୍ଚ ବାବଦକୁ ଏହି ଟଙ୍କା ନେଇଥିଲେ। ସନ୍ଧ୍ୟା ସମୟରେ ସେ ଅଫିସ୍ ଗାଡ଼ିରେ ଏହି ଟଙ୍କା ଧରି ମହାକାଳପଡ଼ାରୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ପୂର୍ବରୁ ଓପାଡ଼ି ବସି ମାର୍ଶାଘାଇ କ୍ରସିଂ ଛକ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଜବତ ଟଙ୍କାର କୌଣସି ବୈଧ ହିସାବ କିମ୍ବା ସନ୍ତୋଷଜନକ ଉତ୍ତର ଏଇ ସାହୁ ଦେଇପାରି ନଥିଲେ।
ଏହାପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ଏବଂ ବାସଗୃହରେ ଏକକାଳୀନ ଚଢ଼ାଉ ଓ ତନାଘନା ଆରମ୍ଭ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ପ୍ରାଥମିକ ସୂଚନା ମିଳିଛି।

