‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ। ବିଗତ ୧୦-୧୫ ଦିନ ମଧ୍ୟରେ ତୃତୀୟ ଥର ପାଇଁ ତେଲ ଦର ବୃଦ୍ଧି ପାଇବା ପରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦାମ ବଢ଼ାଇ ଦେଶବାସୀଙ୍କୁ ‘ଧୀମା ବିଷ’ (Slow Poison) ଦେଉଛନ୍ତି। ଏହି କିଛି ଦିନ ଭିତରେ ତେଲ ଦର ଲିଟର ପିଛା ୪ ରୁ ୫ ଟଙ୍କା ମହଙ୍ଗା ହେଲାଣି। ସାରା ଦେଶରେ ତେଲ ଏବଂ ଗ୍ୟାସର ଅଭାବ ଯୋଗୁ ହାହାକାର ସ୍ଥିତି ହୋଇଛି, ହେଲେ ସରକାର ଜନସାଧାରଣଙ୍କୁ କିଛି ବି ସ୍ପଷ୍ଟ କରୁନାହାନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ରୁଷିଆ ଏବଂ ଇରାନ ଭାରତକୁ ଶସ୍ତାରେ ତେଲ ଓ ଗ୍ୟାସ ଦେବାକୁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସରକାର ତାହା ନେବାକୁ ମନା କରୁଛନ୍ତି।

ଶନିବାର କେଜ୍‌ରିିୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X)ରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ଲୋକଙ୍କ ଜୀବନ ଦୁର୍ବିସହ କରିଦେଲେଣି। ଗ୍ୟାସ ସିଲିଣ୍ଡରର ଦାମ ମଧ୍ୟ ଆକାଶଛୁଆଁ ହୋଇଛି। ଆଗାମୀ ଦିନରେ ଦର କେତେ ବଢ଼ିବ, ସେନେଇ ଲୋକେ ଆତଙ୍କିତ ଅଛନ୍ତି। ବଜାରରେ ଗୁଜବ ଚାଲିଛି ଯେ ପେଟ୍ରୋଲ ଦର ୧୫୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସାଧାରଣ ଜନତା ଏବେ ଭୟଭୀତ, ହେଲେ ସରକାର ଏବାବଦରେ କୌଣସି ଉତ୍ତର ରଖୁନାହାନ୍ତି।

କେଜ୍‌ରିୱାଲ ଦେଶର ବିଭିନ୍ନ ସ୍ଥାନର ସ୍ଥିତି ଉପରେ ଆଲୋକପାତ କରି କହିଛନ୍ତି ଯେ, ପେଟ୍ରୋଲ ପମ୍ପଗୁଡ଼ିକରେ ଟ୍ରାକ୍ଟରର ଲମ୍ବା ଲାଇନ ଲାଗିଛି ଏବଂ ଡିଜେଲ ପାଇଁ ଲୋକଙ୍କ ମଧ୍ୟରେ ହାତାପାତି ପରିସ୍ଥିତି ସୃଷ୍ଟି ହେଉଛି। ଗ୍ୟାସ ସିଲିଣ୍ଡର ଭରିବା ପାଇଁ ଲୋକେ ମଶାରୀ ଟାଙ୍ଗି ରାତିସାରା ରାସ୍ତାରେ ଶୋଇ ରହୁଛନ୍ତି। ମହାରାଷ୍ଟ୍ର (ଅକୋଲା ଓ ବୁଲଢ଼ାଣା)ରେ ମଧ୍ୟ ପେଟ୍ରୋଲ-ଡିଜେଲ ପାଇଁ ହାହାକାର ମେଳିଛି। ସ୍ଥିତି କେତେ ଖରାପ ହେବ ସେନେଇ ସରକାର ସୂଚନା ଦେବା ଦରକାର।

ଆପ ମୁଖ୍ୟ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ରୁଷିଆ ଏବଂ ଇରାନ ଭାରତକୁ ଶସ୍ତା ଦରରେ କ୍ରୁଡ ଅଏଲ (Crude Oil) ଏବଂ ଗ୍ୟାସ ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି, ସେତେବେଳେ ଭାରତ ସରକାର ତାହା କାହିଁକି ଗ୍ରହଣ କରୁନାହାନ୍ତି? ଏହି ଦେଶ କୌଣସି ନେତା ବା ଦଳର ନୁହେଁ, ଏହା ୧୪୦ କୋଟି ଜନତାଙ୍କର।
ଶେଷରେ ସେ ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି ଯେ, “ଭାରତ ସରକାର ରୁଷିଆ ଏବଂ ଇରାନଠାରୁ ଶସ୍ତାରେ ତେଲ-ଗ୍ୟାସ କିଣିବା ଉଚିତ କି ନୁହେଁ?” ସେ ବିଷୟରେ ଦେଶବାସୀ ତାଙ୍କୁ କମେଣ୍ଟ ବକ୍ସ କିମ୍ବା ଡାଇରେକ୍ଟ ମେସେଜ (DM) ମାଧ୍ୟମରେ ନିଜର ମତାମତ ଜଣାନ୍ତୁ। ମିଳିତ ଭାବେ ସ୍ବର ଉତ୍ତୋଳନ କଲେ ସରକାରଙ୍କୁ ଜନତାଙ୍କ କଥା ଶୁଣିବାକୁ ପଡ଼ିବ।

Dharitri – Odisha’s No.1 Odia Daily

Share