ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖ

ବ୍ରହ୍ମପୁର ଅଫିସ,୨୦ା୧୨: ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌ଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଏସ୍‌ପି କହିଛନ୍ତି, ଆଗକୁ ବଡ଼ଦିନ ପର୍ବ, ଜିରୋ ନାଇଟ୍‌ ସେଲିବ୍ରେଶନ, ନୂଆବର୍ଷ ଆସୁଥିବା ବେଳେ ଆସନ୍ତା ୨୪ରୁ ୨୮ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଶାନ୍ତିଶୃଙ୍ଖଳାର ସହ ଉକ୍ତ ମହୋତ୍ସବଗୁଡ଼ିକ କିପରି ପାଳନ ହୋଇପାରିବ ସେ ନେଇ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଏସ୍‌ପି କହିଛନ୍ତି। ସେହିପରି ବ୍ରହ୍ମପୁର ପୋଲିସ ଜିଲାରେ ସମସ୍ତ ପ୍ରକାର ଆପରାଧିକ କାର୍ଯ୍ୟକଳାପକୁ ଦମନ କରିବାକୁ ସମସ୍ତ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ସେ ପରାମର୍ଶ ଦେଇଥିଲେ। ସଦାସର୍ବଦା ପେସାଦାର ଅପରାଧୀ ଓ ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା ଓ ଅନ୍ୟାନ୍ୟ ସଙ୍ଗିନ ମାମଲାରେ ସଜା କାଟି ଜେଲରୁ ମୁକୁଳିଥିବା ଅପରାଧୀ, ମଦ କାରବାର, ଦାଦାବଟି ମାଗୁଥିବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏସ୍‌ପି ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନେକ ଥାନାରେ ବହୁଦିନ ଧରି ବିଭିନ୍ନ ଆଳରେ ପଡ଼ି ରହିଥିବା ମାମଲାଗୁଡ଼ିକର ତୁରନ୍ତ ଫଇସଲା କରିବା ନିମନ୍ତେ କହିଛନ୍ତି। ଥାନା ଅଞ୍ଚଳରେ ବିଶେଷକରି ରାତ୍ରି ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କୁ ଗିରଫ କରିବାକୁ ବୈଠକରେ ଅଧିକାରୀଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଦିନକୁ ଦିନ ସାଇବର ଅପରାଧ ବଢ଼ୁଥିବାରୁ ସାଇବର ଅପରାଧୀଙ୍କୁ କିଭଳି ଭାବେ ଟ୍ରାକ୍‌ କରାଯାଇପାରିବ ସେ ଦିଗରେ ଅଧିକରୁ ଅଧିକ ଦୃଷ୍ଟିଦେବାକୁ ସେ ପୋଲିସ ଅଧିକାରୀମାନଙ୍କୁ କହିଥିଲେ।