୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା

ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ):  ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା ଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଥିବା ଶିଶୁ ଯତ୍ନ ସେବା କେନ୍ଦ୍ରଠାରେ। ୨୦୧୫ ରେ ମାଲକାନଗିରି ଜିଲାରେ ଜଣେ ଅବିବାହିତ ଯୁବତୀ ଅନୈତିକ ସମ୍ପର୍କ ଯୋଗୁ ଏକ ଶିଶୁ କନ୍ୟା ଜନ୍ମ ଦେଇ ଚାଲି ଯାଇଥିଲେ। ଫଳରେ ସେହି ଅନାଥ ଶିଶୁଟିକୁ ପ୍ରଶାସନ ପକ୍ଷରୁ ଦଶମନ୍ତପୁର ବ୍ଲକ ଶିଶୁ ଯତ୍ନ ସେବାକେନ୍ଦ୍ରରେ ଥଇଥାନ କରାଯାଇଥିଲା। ସେଠାରେ ଶିଶୁଟି ୧୩ ମାସ ରହିବା ପରେ ଅନ୍ନପୂର୍ଣ୍ଣା ଭାବେ ନାମ ପଞ୍ଜୀକରଣ କରାଯାଇଥିଲା। ତେବେ ସେହି ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆମେରିକା “ଚିକାଗୋ” ସହର ଏକ ପରିବାର ଚୟନ କରି ତାଙ୍କୁ ୨୦୧୬ ଡିସେମ୍ବରରେ ସରକାରୀ ନିୟମାନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ପରିବାର ପକ୍ଷରୁ ସେହି କୁନି ଝିଅଟିର ନୂତନ ନାଁ କାବ୍ୟା ଭାବେ ପଞ୍ଜୀକରଣ କରାଯାଇଥିଲା।

ସମ୍ପୃକ୍ତ ପରିବାର ସୂଚନାରୁ ଜଣାପଡ଼ିଛି, ସେଠାରେ ସେହି ଅନାଥ କୁନି ଝିଅ ଷ୍ଟାଣ୍ଡାଡ଼ ୨ରେ ଅଧ୍ୟୟନ କରୁଛି। ତେବେ କାବ୍ୟାଙ୍କର ୭ ବର୍ଷ ପୂର୍ତ୍ତି ହେବା ପରେ ପରିବାର ଲୋକେ ସ୍ଥାନୀୟ ଦଶମନ୍ତପୁରସ୍ଥିତ ଶିଶୁ ଯତ୍ନ ସେବା କେନ୍ଦ୍ରଠାରେ ପୁଣି ପହଞ୍ଚି ଥିବା ଦେଖିବାକୁ ମିଳିଛି। କାବ୍ୟା ସେଠାରେ ପୋଷ୍ୟ ସନ୍ତାନ ଭାବେ ରହୁଥିବା କୁନି କୁନି ପିଲାଙ୍କ ସହ ସମୟ ଅତିବାହିତ କରି ସାଥିରେ ଆଣିଥିବା କ୍ରୀଡା, ପାଠ୍ୟ ସାମଗ୍ରୀ ସହ ବିଭିନ୍ନ ଖେଳନା ବଣ୍ଟନ କରିଥିବା ଜଣାପଡିଛି। ଏହି ସମୟରେ ଅନୁଷ୍ଠାନ ସମ୍ପାଦକ ଦିଲୀପ କୁମାର ବେହେରା,ପ୍ରତାପ କୁମାର ଜେନା, ଶିବ ପ୍ରସାଦ ବାରିକ, ଶୁଭସ୍ମିତା ପରିଡା, ଅଲିକା ନାୟକ, ପ୍ରଭାକର ସେମରଲିଆ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ବର୍ତ୍ତମାନ ଏହି କେନ୍ଦ୍ରରେ ୫୫ ଅନାଥ ପିଲା ରହୁଥିବା ବେଳେ ନୂତନ ଭାବେ ୨୫ ପିଲାମାନଙ୍କୁ ନେଇ ବିଦ୍ୟାଳୟ ଖୋଲା ଯାଇଥିବା ବେହେରା ସୂଚନା ଦେଇଥିବା ଜଣାପଡ଼ିଛି।