ଅବ୍ୟବସ୍ଥା ଘେରରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

କାଶୀନଗର/ପାରଳାଖେମୁଣ୍ଡି,୨୨ା୫ (ଡି.ଏନ୍‌.ଏ): ଗଜପତି ଜିଲା କାଶୀନଗର ବ୍ଲକରେ ଥିବା ୧୧ନଂ ୱାର୍ଡ ତଥା ବ୍ଲକ କଲୋନୀର ରାସ୍ତା କଡ଼ରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବହୃତ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମିଳିଛି। ପ୍ରସବ ମହିଳାମାନଙ୍କ ପାଇଁ ବ୍ୟବହାର କରାଯାଇଥିବା ବସ୍ତୁ, ଔଷଧୀୟ ଜିନିଷଗୁଡ଼ିକ ରାସ୍ତା କଡ଼ରେ ପଡିଥିବା ଯୋଗୁଁ ପରିବେଶ ଦୂଷିତ ହେବା ସହ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ଓ ବେସରକାରୀ ଭାବେ ୬ଜଣ ସୁଇପର ଥିବା ବେଳେ ସେମାନଙ୍କ ଦାହିତ୍ୱହୀନତା ଯୋଗୁ ବ୍ୟବହାର ଆର୍ବଜନା ଗୁଡ଼ିକ ରାସ୍ତା କଡ଼ରେ ପଡିଥିବା ଅଭିଯୋଗ ହୋଇଛି। କାଶୀନଗର ଏନ୍‌ଏସି କାର୍ଯ୍ୟାଳୟ ତରଫରୁ ପ୍ରତ୍ୟେକ ଦିନ ଆର୍ବଜନା ନେବା ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇଥିଲେ ବି ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଉକ୍ତ କଲୋନୀରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ବେଳେ ବହୁ ଲୋକ ସେହି ରାସ୍ତା ଦେଇ ଯିବା ଆସିବା କରନ୍ତି। ରାସ୍ତା କଡ଼ର ଏପରି ଅବ୍ୟବସ୍ଥା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଥିବା ବେଳେ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଔଷଧ ବଣ୍ଟନ କରାଯାଉଛି। କର୍ମଚାରୀ ଅନୁପସ୍ଥିତ ରହିବା ଦ୍ୱାରା ରୋଗୀ ଔଷଧ ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ସ୍ଥାନୀୟ ଲୋକ ବାରମ୍ବାର ଦାବି କରିବା ପରେ ବି ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ସେହିପରି ଜେନେରେଟର ବ୍ୟବସ୍ଥା ଥିଲେ ମଧ୍ୟ ତାହା କାମ ଦେଉନଥିବାରୁ ବିଦ୍ୟୁତ ବିଭ୍ରାଟ ହେଲେ ରୋଗୀମାନେ ଅନ୍ଧକାରମୟ ପରିବେଶରେ ରହୁଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଏହିସବୁ ସମସ୍ୟା ସୁଧାରିବାକୁ ଲୋକେ ଦାବି କରିଛନ୍ତି।