ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଏହାପରେ ମାନସିକ ସନ୍ତୁଳନ ହରାଇ ତାଙ୍କ ସ୍ୱାମୀ ଏବଂ ବିବାହ କରାଇଥିବା ମଧ୍ୟସ୍ଥି ଆତ୍ମହତ୍ୟା କରିଛନ୍ତି।
ସରସ୍ୱତୀ ନାମକ ମହିଳା ଜଣକ ଗତ ଜାନୁଆରୀ ୨୩ ତାରିଖରେ ମନ୍ଦିର ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ନିଜ ପ୍ରେମିକ ଶିବକୁମାରଙ୍କ ସହ ଫେରାର ହୋଇଯାଇଛନ୍ତି।
ପତ୍ନୀଙ୍କ ଫେରାର ଖବର ଶୁଣି ୩୦ ବର୍ଷୀୟ ସ୍ୱାମୀ ହରିଶ ମର୍ମାହତ ହୋଇପଡ଼ିଥିଲେ। ସେ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିଲେ, ଯେଉଁଥିରେ ସେ ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛନ୍ତି।
ହରିଶଙ୍କ ମୃତ୍ୟୁ ଖବର ଶୁଣିବା ପରେ, ସରସ୍ୱତୀଙ୍କ ଦାଦା ତଥା ଏହି ବିବାହର ମଧ୍ୟସ୍ଥି ସାଜିଥିବା ରୁଦ୍ରେଶ (୩୬) ମଧ୍ୟ ଗଭୀର ମାନସିକ ଆଘାତରେ ଆତ୍ମହତ୍ୟା କରିଛନ୍ତି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ସରସ୍ୱତୀଙ୍କର ବିବାହ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଏବଂ ହରିଶ ଏ ବିଷୟରେ ଜାଣିଥିଲେ। ତଥାପି ହରିଶ ପରିବାର ଲୋକଙ୍କୁ ବୁଝାଇ ସରସ୍ୱତୀଙ୍କୁ ବିବାହ କରିଥିଲେ। ଦାବଣଗେରେ ଏସପି ଉମା ପ୍ରଶାନ୍ତ କହିଛନ୍ତି ଯେ, ଏହି ମାମଲାରେ ଦାବଣଗେରେ ଗ୍ରାମାଞ୍ଚଳ ଥାନାରେ SC/ST ଆକ୍ଟ ଅନୁଯାୟୀ ଦୁଇଟି ମାମଲା ରୁଜୁ କରାଯାଇଛି।
ବର୍ତ୍ତମାନ ପୋଲିସ ପକ୍ଷରୁ ସରସ୍ୱତୀଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

