ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ମୃତକ ହେଲେ ୧୭ ବର୍ଷୀୟ ନାବାଳିକା ମେଘନା । ହତ୍ୟାକାରୀ ହେଉଛନ୍ତି ମେଘନାଙ୍କ ବାପା ତିମ୍ମାରୟାପ୍ପା ।
ସୂଚନା ଅନୁସାରେ, ମେଘନା ତାଙ୍କ ମାଆଙ୍କ ଜଣେ ସମ୍ପର୍କୀୟଙ୍କୁ ପ୍ରେମ କରୁଥିଲେ । ସେ ପେଶାରେ ଜଣେ ଇଲେକ୍ଟ୍ରିସିଆନ ଥିଲେ । ହେଲେ ବାପା ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଗତ ଏପ୍ରିଲ ୧୬ ତାରିଖରେ ବାପା ଝିଅ ମେଘନାକୁ ଫାର୍ମକୁ ଡାକିଥିଲେ । ଏହାପରେ ସମ୍ପର୍କକୁ ନେଇ ବଚସା ହୋଇଥିଲା । କ୍ରୋଧର ବଶବର୍ତ୍ତୀ ହୋଇ ଝିଅର ଗଳାକାଟି ହତ୍ୟା କରିଥିଲେ । ଏହାପରେ ସତ ସାମ୍ନାକୁ ଆସିଯିବ ଭାବି କବର ଦେଇଦେଇଥିଲେ ।
ପରଦିନ ଯାଇ ତିମ୍ମାରୟାପ୍ପା ଝିଅର ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିବା ଭିତରେ ବାପା ଘରୁ କିଛି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହାପରେ ମାଆ ପୁଣିଥରେ ଥାନାକୁ ଯାଇ ଏତଲା ଦେଇଥିଲେ । ପୋଲିସକୁ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଜାଖୋଜି ଆରମ୍ଭ କରିଥିଲା । କିଛିଦିନ ପରେ ତାଙ୍କ ପାଖ ଗାଁରୁ ତିମ୍ମାରୟାପ୍ପାକୁ ବାନ୍ଧିଥିଲା ପୋଲିସ । ପଚରାଉଚରା ସମୟରେ ସେ ସତ ସ୍ବିକାର କରିଥିଲେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।