ଗିରଫ ହେଲେ କରଞ୍ଜିଆ ତହସିଲଦାର

ବାରିପଦା ଅଫିସ,୩୦।୫: ମୟୂରଭଞ୍ଜ ଜିଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏକ ଲାଞ୍ଚ କାରବାର ମାମଲାରେ ଭିଜିଲାନ୍ସ ତାଙ୍କ ବିରୋଧରେ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଛି। ଚାର୍ଲସ ନାଏକଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ତାଙ୍କ ସରକାରୀ ବାସଗୃହ,କାର୍ଯ୍ୟାଳୟ ସହିତ ଭଦ୍ରକ ଜିଲା ପୈତୃକ ଘରେ ଚଢ଼ାଉ ହୋଇଥିଲା। ତାଙ୍କ ନାମରେ ବେଆଇନ ଖଣି ଲିଜ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ଅଭିଯୋଗ ହୋଇଥିଲା। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇଏ) ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଚେକ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଜମି ହରାଇଥିବା ଉକ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ଏନଏଚଆଇଏ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଦେଇଥିବା ବେଳେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନଦେଲେ ଉକ୍ତ ଅର୍ଥ ରିଲିଜ କରିବେ ନାହିଁ ବୋଲି ତହସିଲଦାର ଚାର୍ଲସ ନାୟକ ତାଙ୍କୁ କହିଥିଲେ। ଏ ନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।