ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି କିଛି ଦିନ ପୂର୍ବେ ଫିଲ୍ମ ‘ହୋମବାଉଣ୍ଡ’ ୨୦୨୬ ଓସ୍କାର ଲାଗି ଶର୍ଟଲିଷ୍ଟ ହୋଇଥିବା କୁହାଯାଇଥିଲା। ଏହାକୁ ନେଇ ପୁରା ଟିମ ବହୁତ ଉତ୍ସାହିତ ଥିଲା। କିନ୍ତୁ ଫିଲ୍ମଟି ବଡ଼ ବିବାଦରେ ଫସିଛି। ଏହାର କାହାଣୀ ୨୦୨୧ରେ ପ୍ରକାଶିତ ସମାନ ନାମର ବହିରୁ ନକଲ କରାଯାଇଥିବା ସାମ୍ବାଦିକା ତଥା ଲେଖିକା ପୂଜା ଚଙ୍ଗୋଇଓ୍ବାଲା ଅଭିଯୋଗ ଆଣିଛନ୍ତି। ପୂଜାଙ୍କ ଦାବି ମୁତାବକ, ନିର୍ମାତାମାନେ କେବଳ ବହିର ଟାଇଟଲ ନୁହେଁ, ଡାଏଲଗ, ସିନ, ଇଭେଣ୍ଟ ସିକ୍ୱେନ୍ସ ଏବଂ ନାରେଟିଭ ଷ୍ଟ୍ରକ୍ଚର୍ ମଧ୍ୟ ଅନେକାଂଶରେ କପି କରିଛନ୍ତି। ୧୫ ଅକ୍ଟୋବରରେ ତାଙ୍କ ଓକିଲ ଧର୍ମା ପ୍ରଡକ୍ସନ୍ସକୁ ଏକ ଲିଗାଲ ନୋଟିସ ପଠାଇଥିଲେ। ସେଥିରେ ତାଙ୍କର ଅଧିକାର ଉଲ୍ଲଂଘନ ଓ ଫିଲ୍ମର ବ୍ୟବହାର ବନ୍ଦ କରିବାକୁ ଦାବି କରାଯାଇଥିଲା। କିନ୍ତୁ ନିର୍ମାତାମାନେ ଏହାକୁ ସ୍ବୀକାର କରିବାକୁ ମନା କରିଦେଇଛନ୍ତି ଏବଂ ଫିଲ୍ମ ଷ୍ଟ୍ରିମିଂ ଜାରି ରହିଛି। ଏବେ ଉଭୟ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସେ କମର୍ସିଆଲ କୋର୍ଟ ଆକ୍ଟ, ୨୦୧୫ର ଧାରା ୧୨ଏ ଅନୁସାରେ ମହାରାଷ୍ଟ୍ର ରାଜ୍ୟ ବିଧିକ ସେବା ପ୍ରାଧିକରଣରେ ଏକ ଆବେଦନ ଦାଖଲ କରିଛନ୍ତି। ଏହି ପ୍ରକ୍ରିୟା ବମ୍ବେ ହାଇକୋର୍ଟରେ ମାମଲା ଦାଖଲ କରିବା ପୂର୍ବରୁ ଆବଶ୍ୟକ। ବଡ଼ ସଂସ୍ଥାକୁ ଚ୍ୟାଲେଞ୍ଜ କରୁଥିଲେ ହେଁ ଲେଖକମାନଙ୍କ କାମର ସୁରକ୍ଷା ଲାଗି ଏହା ଆବଶ୍ୟକ ବୋଲି ସେ କହିଛନ୍ତି।
Dharitri – The Largest & Most Trusted Odia Daily


