ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର

ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍‌ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ ଦେବଙ୍କୁ ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ବୋଲି ପ୍ରାକ୍ତନ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି। ଏକ ସାକ୍ଷାତ୍‌କାର ଅବସରରେ ଗାଭାସ୍କର କହିଛନ୍ତି, ମୁଁ ବିନମ୍ରତାର ସହ କହିବାକୁ ଚାହୁଁଛି କି ମୋ ବିଚାରରେ ଭାରତ ଆଜି ପର୍ଯ୍ୟନ୍ତ ଯେତେଜଣ କ୍ରିକେଟର୍‌ ସୃଷ୍ଟି କରିଛି ସେମାନଙ୍କ ମଧ୍ୟରୁ କପିଳ ମହାନ ଏବଂ ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା। କାହିଁକି ନା ସେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ମ୍ୟାଚ୍‌ ଜିତାଇବାର ଦକ୍ଷତା ରଖୁଥିଲେ। ସେହିଭଳି କପିଳଙ୍କ ସହ ପ୍ରଥମ ସାକ୍ଷାତ୍‌କାରକୁ ନେଇ ଗାଭାସ୍କର କହିଛନ୍ତି, ୧୯୭୮ରେ ଆମେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥାଉ। ଚେନ୍ନାଇର ଏମ୍‌. ଚିନ୍ନସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଓ ହରିୟାଣା ମଧ୍ୟରେ ଏକ ମ୍ୟାଚ୍‌ ଖେଳାଯାଉଥାଏ। କପିଳ ଏବଂ ରାଜେନ୍ଦ୍ର ଜାଡେଜା ନାମକ ଆଉ ଜଣେ ଅଲ୍‌ରାଉଣ୍ଡର ପ୍ରାରମ୍ଭିକ ବୋଲିଂ କରୁଥାନ୍ତି। କପିଳ ସେହି ମ୍ୟାଚ୍‌ରେ ଭଲ ଆଉଟ୍‌ ସୁଇଂ କରୁଥିଲେ ମଧ୍ୟ କ୍ରିଜ ବାହାରୁ ବୋଲିଂ କରୁଥିବାରୁ ସହଜରେ ଆମେ ତାଙ୍କୁ ଖେଳି ଦେଉଥିଲୁ। ଏହାପରେ ମୁଁ କପିଳଙ୍କ ପାଖକୁ ଯାଇ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲି। କିନ୍ତୁ କପିଳ ଭାବିଥିଲେ ଯେ, ମୁଁ ତାଙ୍କ ସହ ସ୍ଲେଜିଂ କରୁଛି। ତେବେ ପରବର୍ତ୍ତୀ ଓଭରରେ ସେ ଷ୍ଟମ୍ପ୍ସ ନିକଟରୁ ବୋଲିଂ କରିଥିଲେ ଏବଂ ପୁରା ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଅଡ଼ୁଆରେ ପକାଇବାରେ ସଫଳ ହୋଇପାରିଥିଲେ ବୋଲି ଗାଭାସ୍କର ଏହି ସାକ୍ଷାତ୍‌କାର ଅବସରରେ ପ୍ରକାଶ କରିଛନ୍ତି।

Share