ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ ନଗର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖାର ଏକ ବ୍ୟାଙ୍କ ଲକରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ପୁରୁଣା ଏବଂ ମୂଲ୍ୟବାନ ଅଳଙ୍କାର ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କାନପୁର ପୋଲିସ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଏଫ୍ଆଇଆର୍ (FIR) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କୌଶଲପୁରୀ ନିବାସୀ ରଶ୍ମି ଅରୋଡ଼ା ୨୦୦୩ ମସିହାରେ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ତ୍ରାବାଙ୍କୋର୍’ (ପରେ ଯାହା SBI ରେ ମିଶ୍ରଣ ହୋଇଥିଲା) ରେ ଏକ ଆକାଉଣ୍ଟ ଖୋଲିଥିଲେ ଏବଂ ତାଙ୍କୁ ଲକର ନମ୍ବର-୨୩ ଆବଣ୍ଟନ କରାଯାଇଥିଲା। ୨୦୧୧ ମସିହାରେ ସ୍ୱାମୀଙ୍କ ଦେହାନ୍ତ ପରେ ରଶ୍ମି ନିଜ ଝିଅ ପାଖକୁ ଲକ୍ଷ୍ନୌ ଚାଲିଯାଇଥିଲେ। ଏହି ଦୀର୍ଘ ସମୟ ମଧ୍ୟରେ ତାଙ୍କ ସଞ୍ଚୟ ଆକାଉଣ୍ଟରୁ ଲକରର ବାର୍ଷିକ ଭଡ଼ା ନିୟମିତ ଭାବେ କଟିଚାଲିଥିଲା, ଯେଉଁଥିପାଇଁ ତାଙ୍କର ବିଶ୍ୱାସ ଥିଲା ଯେ ତାଙ୍କର ସମସ୍ତ ସୁନା ଅଳଙ୍କାର ସୁରକ୍ଷିତ ଅଛି।
କିଛିଦିନ ପରେ ଯେତେବେଳେ ରଶ୍ମି ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀମାନେ ତାଙ୍କ ନାମରେ କୌଣସି ଲକର ଥିବା କଥା ଅସ୍ୱୀକାର କରିଥିଲେ। କିନ୍ତୁ ବହୁତ ନେହୁରା ହେବା ଏବଂ ବ୍ୟାଙ୍କ ରେକର୍ଡ ଯାଞ୍ଚ କରିବା ପରେ ତାଙ୍କର ଲକର ନମ୍ବର-୨୩ ମିଳିଥିଲା। ଗତ ଜୁଲାଇ ୨୭ ତାରିଖରେ ଯେତେବେଳେ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଲକର ଖୋଲାଗଲା, ସେତେବେଳେ ରଶ୍ମିଙ୍କ ଗୋଡ଼ ତଳୁ ମାଟି ଖସିଯାଇଥିଲା। ଲକର ଭିତରେ ଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ପୁରୁଣା ଏବଂ ମୂଲ୍ୟବାନ ଅଳଙ୍କାର ସମ୍ପୂର୍ଣ୍ଣ ଗାଏବ ଥିଲା। ପୀଡ଼ିତା ମହିଳା ଜଣକ ବ୍ୟାଙ୍କ ପରିଚାଳନା ଏବଂ କର୍ମଚାରୀମାନଙ୍କୁ ଏକ ବଡ଼ ଷଡ଼ଯନ୍ତ୍ରରେ ସାମିଲ କରି ଅଳଙ୍କାର ହାତେଇଥିବା ଅଭିଯୋଗ କରିଛନ୍ତି। କାନପୁର ପୋଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱରୂପନଗର ପୋଲିସ ଶାଖା ପରିଚାଳକ ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମାମଲା ରଜୁ କରିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୨୦୧୧ ପରେ ରଶ୍ମି କେବେବି ବ୍ୟାଙ୍କ ଆସି ନଥିଲେ କିମ୍ବା ଲକର ଖୋଲି ନଥିଲେ। ତେବେ ତାଙ୍କ ଅନୁପସ୍ଥିତିରେ ଏବଂ ତାଙ୍କ ଚାବି ବିନା ଏହି ଲକରଟି କିଏ ଏବଂ କାହାର ନିର୍ଦ୍ଦେଶରେ ଖୋଲିଲା, ତାହା ବର୍ତ୍ତମାନ ଏକ ବଡ଼ ରହସ୍ୟ ହୋଇ ରହିଛି। ପୋଲିସ ବ୍ୟାଙ୍କର ସମସ୍ତ ଡକ୍ୟୁମେଣ୍ଟ ଏବଂ କର୍ମଚାରୀଙ୍କ ଭୂମିକାକୁ ନେଇ ତନାଘନା ଜାରି ରଖିଛି।