Categories: ଖେଳ

ସ୍ମିଥଙ୍କ ହାତରୁ ଚାଲିଗଲା ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା

ଦୁବାଇ,୩୦।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବୁଧବାର ପରିଲକ୍ଷିତ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ହାତରୁ ଚାଲିଯାଇଛି ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା। ଏହି ସ୍ଥାନ ଅଧିକାର କରିଛନ୍ତି ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛନ୍ତି।

ଗତ ସପ୍ତାହରେ ସାଉଥାମ୍ପଟନଠାରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଉନ୍ନତ ମାନର ପ୍ରଦର୍ଶନ ଯୋଗୁ ପୁଣି ଥରେ ଶୀର୍ଷକୁ ଫେରିଛନ୍ତି ଓ୍ବିଲିୟମସନ। ୩୦ ବର୍ଷୀୟ ଡାହଣହାତୀ ବ୍ୟାଟ୍ସମ୍ୟାନ ଭାରତ ବିପକ୍ଷ ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୪୯ ଓ ୫୨ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଫଳରେ ୯୦୦ ଅତିକ୍ରମ କରିଛି ତାଙ୍କ ରେଟିଂ ପଏଣ୍ଟ। ସେ ଏବେ ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀ ସ୍ମିଥ(୮୯୧)ଙ୍କ ଠାରୁ ୧୦ ପଏଣ୍ଟ ଆଗରେ। ଡବ୍ଲ୍ୟୁଟିସି ଫାଇନାଲରେ ଓ୍ବିଲିୟମସନଙ୍କ ସହ ୯୬ ରନ୍‌ର ଅବିଭାଜିତ ଭାଗୀଦାରି କରିଥିବା ରସ ଟେଲର ୧୪ତମ ସ୍ଥାନ ଅଧିକାର କରିଛନ୍ତି।

ନ୍ୟୁଜିଲାଣ୍ଡ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ଆସିଛି। ଫାଇନାଲରେ ମୋଟ ୭ ଉଇକେଟ ନେଇଥିବା କାଇଲ ଜେମିସନ ୧୩ତମ ସ୍ଥାନକୁ ଉଠିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ଟ୍ରେଣ୍ଟ ବୋଲ୍ଟ ପୂର୍ବ ଅପେକ୍ଷା ୨ଟି ସ୍ଥାନ ଉପରକୁ ଉଠି ୧୧ତମ ସ୍ଥାନ ହାତେଇଛନ୍ତି। ତେବେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ କେବଳ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ପୂର୍ବରୁ ୧୬ତମ ସ୍ଥାନରେ ଥିବା ରାହାନେ ଏବେ ଅଛନ୍ତି ୧୩ତମ ସ୍ଥାନରେ।

Share