କାନଝରୀ ଡ୍ୟାମ୍‌: କେମିତି ଯିବେ

କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ କାନଝରୀ ନଦୀରେ ବନ୍ଧାଯାଇଛି କାନଝରୀ ଡ୍ୟାମ୍‌। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ବେଶ ମନରୋମ। ସଦର, ଘଟଗାଁ ଓ ପାଟଣା ବ୍ଲକ ଅଞ୍ଚଳକୁ ଜଳସେଚିତ କରିବା ପାଇଁ ଏହି ପ୍ରକଳ୍ପ ୧୯୭୫ରେ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଡ୍ୟାମ୍‌ର ଲମ୍ବ ୧୨୪୪ ମିଟର ରହିଥିବା ବେଳେ ପ୍ରସ୍ଥ ୨୯.୫୦ ମିଟର। ଏହି ଡ୍ୟାମ୍‌କୁ ବୁଲିବାକୁ ପ୍ରତି ବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନଲୋଭା। ଏହା ନିକଟରେ ରହିଛି ଫୁଲ ବଗିଚା। ଏଠାକୁ ସନ୍ଧ୍ୟା ସମୟରେ ହାତୀମାନେ ପାଣି ପିଇବାକୁ ଆସିଥାନ୍ତି। ସେହିପରି ଅନେକ ପକ୍ଷୀ ଏହି ଡ୍ୟାମ୍‌କୁ ଆସିବା ସହ ପାଖ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି। ଏଠାରେ ଜଳସମ୍ପଦ ବିଭାଗର ଏକ ଗେଷ୍ଟ ହାଉସ୍‌ ରହିଛି। ପିକ୍‌ନିକ୍‌ ପାଇଁ ପ୍ରଶସ୍ଥ ସ୍ଥାନ ମଧ୍ୟ ରହିଛି। ଏହି ଡ୍ୟାମ୍‌ ଏବଂ କେନାଲ ନିକଟକୁ ଭୋଜିଭାତ କରିବା ପାଇଁ ବହୁ ପର୍ଯ୍ୟଟକ, ଛାତ୍ରୀଛାତ୍ର ଆସିଥାନ୍ତି। ବନ୍ଧ ଉପରେ ରହିଛି କାନଝରୀ ନୀଳୟ। ଯେଉଁଠାରୁ କାନଝରୀ ବନ୍ଧର ସୌନ୍ଦର୍ଯ୍ୟ ବେଶ ଭଲ ଭାବରେ ଉପଭୋଗ କରିହୁଏ। ଏଠାରେ ରହିବା ପାଇଁ ଯଦିଓ ବ୍ୟବସ୍ଥା ଅଛି ତେବେ ଜଳସମ୍ପଦ ବିଭାଗର ଅନୁମତି ନେବାକୁ ପଡ଼ିଥାଏ।

କେମିତି ଯିବେ
ଭୂବନେଶ୍ୱରରୁ ବସ୍‌ ବା କାର୍‌ ଯୋଗେ ଏନ୍‌ଏଚ୍‌ ୨୦ରେ କେନ୍ଦୁଝରକୁ ଘଟଗାଁ ଦେଇ ଆସିଲେ ଘଟଗାଁଠାରୁ ପ୍ରାୟ ୨୫ କି.ମି. ଦୂରରେ ଓହ୍ଲାଇବାକୁ ପଡ଼େ। ଏହାକୁ କାନଝରୀ ଛକ କୁହାଯାଏ। ସେଠାରୁ ୬ କି.ମି. ଦୂରରେ ଏହି ମନୋରମ ଡ୍ୟାମ୍‌ ରହିଛି। ସେହିପରି ଟ୍ରେନ୍‌ରେ କେନ୍ଦୁଝର ଆସି ସେଠାରୁ ମଧ୍ୟ ଏହି ସ୍ଥାନକୁ ଯାଇହେବ।