ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦ ପରିବାରରେ ଶହେରୁ ଅଧିକ ଲୋକ ବାସ କରୁଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟ ଜଳ ଭଳି ସୁବିଧାରୁ ବଞ୍ଚତ୍ତ ଅଛନ୍ତି। ଗାଁଠାରୁ ପଞ୍ଚାୟତ ଯିବା ପାଇଁ ୨ଟି ରାସ୍ତା ରହିଛି। ବାଇକ୍‌ କିମ୍ବା ଚାରିଚକିଆ ଗାଡି ଯାଉଥିବା ରାସ୍ତାରେ ୧୫ କିଲୋମିଟର ପଡେ। ଅନ୍ୟ ଏକ ରାସ୍ତା ପାହାଡିଆ ହୋଇଥିବାରୁ ଚାଲି ଚାଲି ୫ କିଲୋମିଟର ଯିବାକୁ ପଡେ। ବର୍ଷା ଦିନରେ ରାସ୍ତା କାଦୁଅ ହେଉଥିବାରୁ ବହୁ କଷ୍ଟରେ ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ପଞ୍ଚାୟତକୁ ରାଶନ ସାମଗ୍ରୀ ପାଇଁ ଯାଇଥାନ୍ତି। ୨୦୧୭ରେ ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇଛି ା ହେଲେ ମାସ ମାସ ଧରି ବିଜୁଳି ଆଲୁଅ ରହୁ ନ ଥିବାରୁ ଲୋକେ ରାତିରେ ଅନ୍ଧାରରେ ଜୀବନ ବିତାଉଛନ୍ତି। ଗାଁରେ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁମାନେ ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ହେବା ସହ ପୁଷ୍ଟିକର ଖାଦ୍ୟ ପାଇପାରୁ ନାହାନ୍ତି ା କିଶୋରୀ, ଗର୍ଭବତୀ ମହିଳା ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇ ପାରୁନାହାନ୍ତି। ପ୍ରାଥମିକ ବିଦ୍ୟାଳୟ ନ ଥିବାରୁ ଗଁାର ପିଲାମାନେ ଶିକ୍ଷା କ’ଣ ଜାଣିନାହାନ୍ତି। ଯେଉଁ ବୟସରେ ବହି ବସ୍ତାନି ଧରି ସ୍କୁଲ ଯିବା କଥା, ସେହି ବୟସରେ ହାତରେ ବାଡି, ଟାଙ୍ଗିଆ ଧରି ଛେଳିମେଣ୍ଡା ଚରାଇବା ସହ ପରିବାର ତଥା ଅନ୍ୟ ଲୋକଙ୍କ ସହ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି। ଗାଁରେ ଗୋଟିଏ ନଳକୂଅ ଥିଲେ ବି ଖରାପ ହୋଇ ପଡିଥିବାରୁ ଲୋକେ କୂଅ ଓ ଝରଣା ପାଣି ଉପରେ ନିର୍ଭର କରନ୍ତି। ଗ୍ରୀଷ୍ମ ଋତୁରେ କୂଅ ପାଣି ଓ ଝରଣା ଶୁଖି ଯାଉଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଗାଁର ଜଣେ ମହିଳାଙ୍କ କହିବା କଥା, ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତାମାନେ ଯାଇ ଗାଁର ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଏଥର ନିର୍ବାଚନ ସମୟରେ ନେତାମନ୍ତ୍ରୀ ଆସିଲେ ପ୍ରଥମେ ବିକାଶ ପରେ ଭୋଟ ଦାବି କରିବୁ । ଏହିସବୁ ସମସ୍ୟା ନେଇ ସ୍ଥାନୀୟ ଲୋକପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନିକ ଅଦତ୍କାରୀ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ଗାଁର ସମସ୍ୟା ଉପରେ ଜଣେ ପ୍ରଶାସନିକ ଅଧିକାରୀ ଯାଇ ତଦନ୍ତ କରିବେ। ରିପୋର୍ଟ ଆସିଲା ପରେ ଆବଶ୍ୟକତା ଅନୁଯାୟୀ ସମାଧାନ କରାଯିବ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 

Share