କେସିଙ୍ଗା,୨୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ମିଟରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଗୋଦାମ ଗୃହ ଗତ ୨୦୧୬-୧୭ ମସିହାରେ ନିର୍ମାଣ କରାଯାଇଥିଲା। ଗ୍ରାମ ପଞ୍ଚାୟତର ଚାଉଳ, ଗହମ, ଭଳି ସମସ୍ତ ପିଡ଼ିଏସ ସାମଗ୍ରୀ ରଖୁବା ପାଇଁ ତତ୍କାଳୀନ ବିଜେଡି ସରକାରଙ୍କ ଅମଳରେ ପ୍ରାୟ ୨୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ସେହି ସମୟରେ ଏହି କଲ୍ୟାଣ ମଣ୍ଡପରେ ବିଭିନ୍ନ ସଭା ସମିତି ଓ ଗ୍ରାମ ସଭା, ପଲ୍ଲୀ ସଭା ସମେତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଉକ୍ତ କଲ୍ୟାଣ ମଣ୍ଡପରେ ବର୍ତ୍ତମାନ ଭୁତ କୋଠି ପାଲଟିଛି। ଚାରି ପଟେ ଅନାବନା ଗଛ ସହ ଘାସ ଭର୍ତ୍ତି ହୋଇଛି।
ଶିବ ମନ୍ଦିର ପାର୍ଶ୍ୱର ଜାତୀୟ ରାଜପଥ ୨୬ର ପଶ୍ଚିମ ଦିଗରେ ଏହି କଲ୍ୟାଣ ମଣ୍ଡପ ଅବସ୍ଥାପିତ ହୋଇଛି। କୌଣସି ସରକାରୀ କାର୍ଯ୍ୟ କରାଯାଉ ନ ଥିବାରୁ ଭୁତକୋଠିରେ ପରିଣତ ହୋଇଛି।ମୁଖ୍ୟ ଗେଟରେ ତାଲା ପଡିରହିଛି। କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ଲକ୍ଷାଧିକ ଟଙ୍କାରେ ନିର୍ମାଣ କଲ୍ୟାଣ ମଣ୍ଡପଟି ଅକାମୀ ହୋଇ ଭୁତକୋଠିରେ ପରିଣତ ହୋଇଛି। ଗ୍ରାମ ପଞ୍ଚାୟତର ଗରିବ ଶ୍ରେଣୀର ଲୋକଙ୍କ ପୁଅ ଝିଅ ବାହା ଘର ପାଇଁ ବ୍ୟବହାର କଲେ ମଧ୍ୟ ବହୁତ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ବ୍ରହ୍ମାଙ୍କୁ ପଚାରିବାରୁ ମୋ କାର୍ଯ୍ୟ କଳାପ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା। ମୁଁ ମୁଖ୍ୟ ଗେଟର ବାଡ଼ାକୁ ୯ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରି କଲ୍ୟାଣ ମଣ୍ଡପକୁ କାର୍ଯ୍ୟକ୍ଷମ କରୁଥିଲି, ବର୍ତ୍ତମାନ ଏକ ଭୁତକୋଠି ପାଲଟିଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରିଛନ୍ତି। ଏ ନେଇ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଥିଲେ।