କାଳୀମନ୍ଦିର ଅଳଙ୍କାର ଲୁଟ୍‌: ପୋଲିସର ପଚରାଉଚରା ଜାରି

ଗଞ୍ଜାମ,୨୯ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା କଲେଜ ରୋଡ୍‌ସ୍ଥିତ ଦାମୋଦରପୁର ଗ୍ରାମ ନିକଟରେ ଥିବା ମା’ କାଳୀମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ରଡ୍‌ ସାହାଯ୍ୟରେ ମନ୍ଦିର ତାଲା ଭାଙ୍ଗି ମା’ରୁପା ଓ ସୁନା ଅଳଙ୍କାର ଲୁଟି ନେଇଥିବା ବେଳେ ଷ୍ଟୋର୍‌ରୁମରେ ଥିବା ଏକ ଟ୍ରଙ୍କ୍‌ ମଧ୍ୟ ନେଇ ଯାଇଥିଲେ l ଉକ୍ତ ଘଟଣା ପରେ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା ସନ୍ଦେହରେ ଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଲୁଟେରାଙ୍କ ପ୍ରତି ଜାଲ ବିଛାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଆଇଆଇସି ବେହେରା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସହରର ଅନେକ ଯୁବକଙ୍କୁ ପୋଲିସ ପଚରାଉଚରା କରି ଛାଡ଼ିଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ, ଚୋରି ହେବା ପରେ ମନ୍ଦିର ପରିଚାଳକ ସନ୍ତୋଷ କୁମାର ସାହୁ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମା ’ଙ୍କ ଦାନ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଯାଇଥିବା ଏତଲାରେ ଦର୍ଶାଯାଇଛି l ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଲୁଟ୍‌ପାଟ୍‌ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି।