Categories: ଅପରାଧ

୮ ବର୍ଷୀୟା ଝିଅକୁ ହତ୍ୟା କରିଥିବା କଳିଯୁଗର ଅନ୍ଧବିଶ୍ୱାସୀ ମା ଗିରଫ

ଫରିଦାବାଦ୍‌, ୧୩।୮: ହରିୟାଣାର ଫରିଦାବାଦ୍‌ ସହରରେ ନିଜର ୮ ବର୍ଷୀୟା ଝିଅକୁ ହତ୍ୟା କରିଥିବା କଳିଯୁଗର ଅନ୍ଧବିଶ୍ୱାସୀ ମା’କୁ ପୋଲିସ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ମହିଳାଜଣଙ୍କ ନିଜର ୮ ବର୍ଷର ଝିଅର ତଣ୍ଟି ଚିପି ହତ୍ୟା କରିବା ପରେ ପଲ୍‌ଓ୍ବଲର ଗଦପୁରୀ ଅଞ୍ଚଳର ଭଗୋଲା ଗ୍ରାମ ନିକଟସ୍ଥ ରାଜପଥ କଡ଼କୁ ଫିଙ୍ଗି ଦେଇଥିଲେ।
ଘଟଣାଟି ମୁଜେସର ଥାନା ଅନ୍ତର୍ଗତ ସଞ୍ଜୟ କଲୋନୀରେ ଘଟିଛି। ଗୁରୁବାର ସ୍ଥାନୀୟ ବାସିନ୍ଦା ରାଜେଶଙ୍କ ୮ ବର୍ଷୀୟା ଝିଅ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଥିଲା। ଏହି ଘଟଣାରେ ପୋଲିସ ନିଖୋଜ ଝିଅର ମା, ବାପା ଓ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ଝିଅର ମା ଉପରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ଏହି ସମୟରେ ପୋଲିସ ଦେଖିବାକୁ ପାଇଥିଲା ଝିଅର ମା ତାକୁ କେଉଁ ଆଡ଼େ ନେଇଯାଉଛି। ପୋଲିସ ଝିଅର ମା’କୁ ନେଇ ପଚରାଉଚରା କରିବା ପରେ ଝଡ଼ାଫୁଙ୍କା, ତାନ୍ତ୍ରିକ ଆଦି ଶବ୍ଦ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସର ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଲା ଏବଂ ଝିଅର ମା’କୁ ଆହୁରି ଜେରା କରାଯାଇଥିଲା। ଶେଷରେ ଝିଅର ମା ସବୁ ସତକଥା କହି ଦେଇଥିଲେ। ଝଡ଼ା ଫୁଙ୍କା ଓ ଅନ୍ଧବିଶ୍ୱାସରେ ବିଶ୍ୱାସ ରଖୁଥିବା ଯୋଗୁ ସେ ନିଜର ଝିଅକୁ ହତ୍ୟା କରିଥିବା ମହିଳାଜଣଙ୍କ ସ୍ବୀକାର କରିଥିଲେ। ମହିଳାଙ୍କ କହିବାନୁଯାୟୀ, ୨୦୦୧ ପରଠାରୁ ଗୋଟିଏ ପ୍ରେତାତ୍ମା ତାଙ୍କ ଶରୀରକୁ ଆସିଥାଏ। ଏହାରି କଥାରେ ସେ ନିଜ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିଲେ।