ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା ଧରି କାଳବୈଶାଖୀ ତାଣ୍ଡବ ରଚିଥିଲା। ପ୍ରବଳ ପବନ ଓ ବର୍ଷାର ପ୍ରଭାବରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘରର ଆଜବେଷ୍ଟସ୍, ଟିଣ ସିଟ୍ ଓ ଟାଇଲ୍ ଛପର ଉଡ଼ିଯାଇଛି। କେନ୍ଦେଇପଶି ଅଞ୍ଚଳର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଟିଣ ଛପର ମଧ୍ୟ ପବନରେ ଉଡ଼ିଯାଇଛି।
ଏହାସହ କେନ୍ଦେଇପଶି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବିଶ୍ରାମ ଘର ଉପରେ ଏକ ବଡ଼ ଗଛ ପଡ଼ିବାରୁ ଗୃହଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅଞ୍ଚଳର ଅନେକ ଲୋକଙ୍କ ଘରର ଛପର ମଧ୍ୟ ଉଡ଼ିଯାଇଛି। ପ୍ରବଳ ପବନରେ ବିଦ୍ୟୁତ ଖୁଣ୍ଟ ଓ ତାର କ୍ଷତିଗ୍ରସ୍ତ ହୋଇଥିବାରୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି।