ଜବତ ହେଲା କବାଡ଼ିଆ ସାମଗ୍ରୀ

ଧାମନଗର,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଦିନକୁ ଦିନ ନୂଆ ନୂଆ କବାଡ଼ିଆ ଦୋକାନ ଖୋଲାଯାଇ ଚୋରା ସାମଗ୍ରୀ କିଣାବିକା ଚାଲିଛି। ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି। ଏଭଳି ସ୍ଥତିରେ ଧାମନଗର ଏନ୍‌ଏସି ଅଧୀନ ୫ ନଂ. ୱାର୍ଡ ନାୟକସାହିରେ ଥିବା ଚାନ୍ଦ ଖାଁଙ୍କ ଘରେ ପୋଲିସ ଶୁକ୍ରବାର ଚଢ଼ାଉ କରି ଚୋରା କବାଡ଼ିଆ ସାମଗ୍ରୀ ଜବତ କରିଛି।

ଏଥିରେ ୧୬ ବସ୍ତା ବିଦ୍ୟୁତ୍‌ ତାର, କଟାଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ, ଗ୍ୟାସ୍‌ କଟର, ୩ଟି ଗ୍ୟାସ୍‌ ସିଲିଣ୍ଡର, ଗୋଟିଏ ଟାଟାଏସିଇ, ଟେଲିଫୋନ ଖୁଣ୍ଟି, ବିଭିନ୍ନ ଲୁହା ସାମଗ୍ରୀ ଜବତ କରାଯାଇଛି। ଏଥିସହ ବ୍ୟବସାୟରେ ସମ୍ପୃକ୍ତ ଥିବା ଚାନ୍ଦ ଖାଁଙ୍କୁ ପୋଲିସ ଗିରଫ କରିଛି। ଗୁରୁବାର ରାତିରେ ଏହି ଅଞ୍ଚଳରେ ଏକ ଟାଟାଏସିଇରେ ଚୋରା କବାଡ଼ିଆ ସାମଗ୍ରୀ ଆସି ଅନଲୋଡ୍‌ ହେଉଥିବା ଖବରପାଇ ପୋଲିସ ପହଞ୍ଚିଥିଲା। ବିଳମ୍ବିତ ରାତି ଯୋଗୁ ଚଢ଼ାଉ କରା ନ ଯାଇ ପୋଲିସ ମୁତୟନ ରହିଥିଲା। ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଥିଲା। ତେବେ ଏହି ସମୟରେ ଟାଟାଏସିଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ଧାମନଗର ଥାନାରେ ମାମଲା(ନଂ.୨୫୫/୨୨) ରୁଜୁ କରାଯାଇଛି। ଧାମନଗର ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।