ନିଜ କାହାଣୀର ନାୟିକା ସାଜିବେ ବିହାରର ଜ୍ୟୋତି

ବମ୍ବେ: ମହାମାରୀ କରୋନା ସମୟରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ଚର୍ଚ୍ଚାକୁ ଆସିଥିଲେ। ସେଭଳି ଜଣେ ଥିଲେ ବିହାର ଦରଭଙ୍ଗାରେ ରହୁଥିବା ଜ୍ୟୋତି କୁମାରୀ। ବୟସ ତାଙ୍କର ମାତ୍ର ୧୫ ବର୍ଷ। ହେଲେ ବାପାଙ୍କୁ ସାଇକେଲରେ ବସାଇ ଦିଲ୍ଲୀରୁ ୧୨୦୦ କିଲୋମିଟର ଦୂର ନିଜ ଘର ଦରଭଙ୍ଗାରେ ପହଞ୍ଚିଥିଲେ। ଏହାର ଅନେକ ଭିଡିଓ, ଫଟୋ ଭାଇରାଲ ହୋଇଥିଲା। ଏବେ ତାଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ। ଜ୍ୟୋତି ନିଜେ ଏଥିରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଫିଲ୍ମ କରିବାକୁ ଯାଉଥିବାରୁ ସେ ବେଶ୍‌ ଖୁସି ଥିବା ପ୍ରକାଶ କରନ୍ତି।

ଜ୍ୟୋତିଙ୍କ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମର ନାମ ରହିବ ‘ଆତ୍ମନିର୍ଭର’। ଏଥିରେ ଜ୍ୟୋତିଙ୍କ ଜୀବନ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରାଯିବ। ଅଗଷ୍ଟ ମାସରେ ଏହା ପରଦାକୁ ଆସିବ।

ଶାଇନ୍‌ କୃଷ୍ଣା ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମକୁ ଗୁରଗାଓଁରୁ ଦରଭଙ୍ଗା ଆଦି ଅଞ୍ଚଳରେ ଶୁଟିଂ କରାଯିବ। ହିନ୍ଦି, ଇଂରାଜୀ ସହ ମୈଥିଲି ଭାଷାରେ ଏହାକୁ ରିଲିଜ କରାଯିବ। ଅର୍ନ୍ତରାଷ୍ଟ୍ରୀୟ ଦର୍ଶକଙ୍କ ପାଇଁ ‘ଏ ଜର୍ଣ୍ଣିଂ ଅଫ୍‌ ଏ ମାଇଗ୍ରେଟ୍‌’ ନାମରେ ଫିଲ୍ମକୁ ରିଲିଜ କରାଯିବ। ଏପରିକି ୩୦ ଭାଷାରେ ଫିଲ୍ମର ଟାଇଟଲ କରାଯିବ ବୋଲି କୁହାଯାଉଛି।

କହିରଖୁଛୁ, ଜ୍ୟୋତିଙ୍କ ବାପା ଦିଲ୍ଲୀରେ ରିକ୍ସା ଚଳାଇ ପରିବାର ଚଳାନ୍ତି। ଲକ୍‌ଡାଉନ୍‌ ସମୟରେ ସେ ଫସି ରହିଥିବା ବେଳେ ଜ୍ୟୋତି ତାଙ୍କୁ ସାଇକେଲରେ ଗାଁକୁ ଆଣିଥିଲେ। ଏହି ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ପସନ୍ଦ କରିଥିଲେ।

Share