ନୂଆଦିଲ୍ଲୀ,୨୨।୫: ପାକିସ୍ତାନୀ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇ ଚର୍ଚ୍ଚାରେ ରହିଥିବ ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଅନେକ ଖୁଲାସା ହେଉଛି। କ’ଣ ସେ ନିଜର ଅସଲ ପରିଚୟ ଲୁଚାଇ ଧର୍ମ ପରିବର୍ତ୍ତନ କରିଥିଲେ? କ’ଣ ସେ ମୁସଲମାନ ଭାବେ କୌଣସି ପାକିସ୍ତାନୀ ଅଧିକାରୀଙ୍କୁ ବିବାହ କରିଥିଲେ? ସୋସିଆଲ ମିଡଆରେ ହେଉଥିବା ଏଭଳି ଦାବିକୁ ନେଇ ହିସାର ପୋଲିସ ସ୍ପଷ୍ଟ ସୂଚନା ଦେଇ ବଡ଼ ଅପଡେଟ୍ ଦେଇଛି।
ପୋଲିସ କହିଛି ଯେ, ଏଯାବତ ଯାଞ୍ଚ ବେଳେ ଜ୍ୟୋତି ଧର୍ମ ପରିବର୍ତ୍ତନ, ବିବାହ କିମ୍ବା କୌଣସି ଆତଙ୍କବାଦୀ ସଂସ୍ଥା ସହ ଜଡ଼ିତ ହେବା ନେଇ ପ୍ରମାଣ ହୋଇନାହିଁ। ଏବେ ବି ସେ ହିସାର ପୋଲିସ ହେପାଜତରେ ଅଛନ୍ତି। ୫ ଦିନର ରିମାଣ୍ଡ ଅବଧି ଶେଷ ହେଉଛି। ଏହି ସମୟରେ ପୋଲିସ ତାଙ୍କର ଫୋନ୍, ଲାପଟପ୍, ବ୍ୟାଙ୍କ ଖାତା ଆଦି ଖୋଳତାଡ଼ କରୁଛି। ହେଲେ ଏଯାବତ ସେଭଳି କିଛି ବଡ଼ ପ୍ରମାଣ ହାତରେ ଲାଗି ନାହିଁ। ସେହିଭଳି ଧର୍ମ ପରିବର୍ତ୍ତନର ମିଳିନାହିଁ। କିମ୍ବା ତାଙ୍କର ବିବାହ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେଣୁ ସୋସିଆଲ ମିଡିଆ ଖବର କେବଳ ଗୁଜବ ବୋଲି କୁହାଯାଇଛି।
ତେବେ ପୋଲିସକୁ ଯାଞ୍ଚରେ ଜ୍ୟୋତିଙ୍କ ୪ ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଛି। ଏଥିରେ ହୋଇଥିବା ଅର୍ଥ ନେଣଦେଣକୁ ଦୃଷ୍ଟିରେ ରଖାଯାଇଛି। ଟ୍ରାନ୍ଜାକ୍ସନ ତଥ୍ୟ ପାଇଁ ଫରେନ୍ସିକ୍ ସାଇନ୍ସ ଲାଇବ୍ରେରୀ ଏବଂ ବ୍ୟାଙ୍କିଂ ଏକ୍ସପର୍ଟମାନଙ୍କ ସହାୟତା ନିଆଯାଉଛି। ଯାଞ୍ଚ ଜାରି ରହିଥିବାରୁ ଆଗକୁ ଆହୁରି ବଡ଼ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ପୋଲିସ କହିଛି।


