ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ସୁଶୀଲ ସିଂଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ରଙ୍ଗବୋଳା ୩୨ ହଜାର ଟଙ୍କା ଜବତ କରିଛି।
ସୂଚନା ଅନୁଯାୟୀ, ବଡସାହି ବ୍ଲକ ଅନ୍ତର୍ଗତ ଟଙ୍ଗାଶୋଳ ପଞ୍ଚାୟତରେ ବିଜୁ ଗ୍ରାମ୍ୟ ଜ୍ୟୋତି (BVGJY) ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କାର ଏକ କାର୍ଯ୍ୟର ବିଲ୍ ପାସ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କଠାରୁ ୩୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ଦେଲେ ବିଲ୍ ପାସ କରିବେ ନାହିଁ ବୋଲି କହି ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଥିଲା।
ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ଠିକାଦାର ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଯୋଜନାବଦ୍ଧ ଭାବେ ଫାଶ ବିଛାଇଥିଲା। ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସୁଶୀଲ ସିଂଙ୍କୁ କାବୁ କରିଥିଲେ। ତାଙ୍କଠାରୁ କେମିକାଲ୍ ବୋଳା ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତଙ୍କ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର ଓ ବାସଭବନରେ ଚଢ଼ାଉ ଜାରି ରହିଛି। ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ (ସଂଶୋଧିତ)ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily