ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି ମୋହ ଛାଡୁ ନାହିଁ। ଏପରିକି ବଦଳି ଆଦେଶକୁ ମଧ୍ୟ କିଛି କର୍ମଚାରୀ ଖାତିର୍ କରୁ ନାହାନ୍ତି। ବରଗଡ଼ ଜିଲା ପରିଷଦ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ବଦଳି କ୍ଷେତ୍ରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପତ୍ରସଂଖ୍ୟା-୨୬୩, ତା-୨୭।୧।୨୦୨୫ରିଖ ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୩୫ଜଣ ଏବଂ ଜଣେ ନୂତନଭାବେ ଯୋଗ ଦେଇଥିବା କନିଷ୍ଠ ଯନ୍ତ୍ରୀ ଅର୍ଥାତ୍ ସମୁଦାୟ ୩୬ଜଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକ୍ଷେତ୍ରରେ ଅଦଳବଦଳ ହୋଇଛି। ଗତ ଜାନୁୟାରୀ ମାସ ୩୧ତାରିଖ ସୁଦ୍ଧା ରିଲିଭ୍ ହୋଇ ବଦଳି ଆଦେଶ ମୁତାବକ ନୂତନ କାର୍ଯ୍ୟକ୍ଷେତ୍ରରେ ତୁରନ୍ତ ଯୋଗଦାନ କରିବାକୁ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଆଉ ସପ୍ତାହକ ପରେ ବଦଳି ଆଦେଶକୁ ୩ମାସ ବିତିଯିବ, କିନ୍ତୁ ଅନେକ କନିଷ୍ଠ ଯନ୍ତ୍ରୀ ସେମାନେ କାର୍ଯ୍ୟ କରୁଥିବା କାର୍ଯ୍ୟକ୍ଷେତ୍ର ଛାଡ଼ି ନଥିବା କିମ୍ବା ନୂତନ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ କରି ନଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


