Categories: ବାଣିଜ୍ୟ

ଇଲେକ୍ଟ୍ରିକ୍‌ ପେ ସହ ଜେଏସ୍‌ଡବ୍ଲ୍ୟୁର ଇଭି ଚାର୍ଜିଂ ସହଭାଗିତା

ଭୁବନେଶ୍ୱର,୧୧।୮: ଦେଶର ପ୍ରମୁଖ ଇଭି ଚାର୍ଜିଂ ପ୍ଲାଟ୍‌ଫର୍ମ ଇଲେକ୍ଟ୍ରିକ ପେ ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଏକ ଚାର୍ଜିଂ ସହଭାଗିତା ସ୍ଥାପନ ହୋଇଛି। ଇଲେକ୍‌ଟ୍ରିକ ଯାନ କିଣିବା ନିମନ୍ତେ କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଏବଂ ସେମାନଙ୍କ କାର୍ଯ୍ୟାଳୟ ଓ କାରଖାନା ପରିସରରେ ଚାର୍ଜିଂ ଭିତ୍ତିଭୂମି ଯୋଗାଇଦେବାକୁ ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ନିକଟରେ ପ୍ରଚଳନ କରାଯାଇଥିବା ସବୁଜ ନୀତି ଅନୁଯାୟୀ ଏହି ସହଭାଗିତା କାର୍ଯ୍ୟକ୍ଷମ ହୋଇଛି। ଇଲେକ୍ଟ୍ରିକ ପେ ପକ୍ଷରୁ ଜେଏସ୍‌ଡବ୍ଲ୍ୟୁ ମୁମ୍ବାଇ କାର୍ଯ୍ୟାଳୟର ମୁଖ ଦପ୍ତରରେ ଇତିମଧ୍ୟରେ ଆବଶ୍ୟକ ଚାର୍ଜିଂ ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ କରି ସାରିଛି।

କମ୍ପାନୀ ଖୁବ୍‌ଶୀଘ୍ର ଭାସିନ୍ଦ, ଡଲଭି, ବିଜୟନଗରମ, ଶୋଲଟୁ ଏବଂ ଝାରସୁଗୁଡା ଆଦି ସ୍ଥାନରେ ଥିବା ଜେଏସ୍‌ଡବ୍ଲ୍ୟୁ କାର୍ଯ୍ୟାଳୟଗୁଡିକୁ ନିଜର ସେବା ସମ୍ପ୍ରସାରଣ କରିବ। ଇଭି ବ୍ୟବହାରକାରୀଙ୍କୁ ନିରବଚ୍ଛିନ୍ନ ଚାଳନା ଅନୁଭୂତି ପ୍ରଦାନ ଏବଂ ଇଭି ଗ୍ରହଣୀୟତା ବୃଦ୍ଧି କରିବା ସକାଶେ ଜେଏସ୍‌ଡବ୍ଲ୍ୟୁ ପ୍ରତିବଦ୍ଧତା ପୂରଣ ନିମନ୍ତେ ଏହି ସହଭାଗିତା ଇଲେକ୍ଟ୍ରିକ ପେ’ର ଦୂରଦୃଷ୍ଟିକୁ ଆଗେଇନେବ। ଏହି ଦୁଇ କମ୍ପାନୀ ସମ୍ମିଳିତ ଭାବେ ଦେଶରେ ସବୁଜ ଗମନାଗମନକୁ ପ୍ରୋତ୍ସହିତ କରିବା ସହ ୨୦୭୦ ସୁଦ୍ଧା ଭାରତକୁ ନେଟ୍‌-ଶୂନ୍ୟ ଅଙ୍ଗାରକ ନିର୍ଗମନକାରୀରେ ରୂପାନ୍ତରଣକୁ ସମର୍ଥନ କରୁଛନ୍ତି। ଏ ସମ୍ପର୍କରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ପ୍ରେସିଡେଣ୍ଟ ଓ ସିଏଚ୍‌ଆରଓ ଦିଲୀପ ପଟ୍ଟନାୟକ କହିଛନ୍ତି, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ପକ୍ଷରୁ ଘୋଷଣା କରାଯାଇଥିବା ଇଭି ନୀତି ଇଭିର ବର୍ଦ୍ଧିତ ଗ୍ରହଣୀୟତାକୁ ଆଗେଇନେବା ଦିଗରେ ଏକ ଅନନ୍ୟ ପ୍ରୟାସ ହୋଇଛି। ଏହା ସବୁଜ ଗମନାଗମନ ନିମନ୍ତେ ଆମର ପ୍ରୟାସକୁ ପରିବ୍ୟାପ୍ତ କରିବା ସହ ଏହାର ବ୍ୟବହାରକୁ ସମର୍ଥ କରାଇବ।

Share