ଆଓ୍ବାର୍ଡ ସମାରୋହରେ ରାଗରୁଷା ଭୁଲି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ ରାମଚରଣ-ଏନ୍‌ଟିଆର

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡରେ ଭାରତ ୨ଟି ପୁରସ୍କାର ହାତେଇଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ ଅରିଜିନାଲ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ନାଟୁ-ନାଟୁର ସଂଗୀତ ରଚନା ଏମ୍‌ଏମ୍‌ କିରାଭାନୀ ଏବଂ ଗୀତିକାର ଚନ୍ଦ୍ର ବୋଷ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ସମୟରେ ଫିଲ୍ମର ମୁଖ୍ୟ ତାରକା ରାମଚରଣ ଏବଂ ଜୁନିଅର ଏନ୍‌ଟିଆର ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଜୁନିଅର ଏନ୍‌ଟିଆର ରାମଚରଣ ଏବଂ ନିର୍ଦ୍ଦେଶକ ରାଜାମୌଲିଙ୍କ ଉପରେ ରାଗିଥିବା ଖବର ପୂର୍ବରୁ ଶୁଣିବାକୁ ମିଳିଥିଲା।

ଏକ ରିପୋର୍ଟ ଅନୁଯାୟୀ, ରାଜାମୌଲି ଗୁଡ ମର୍ନିଂ ଆମେରିକା ଶୋ’ରେ ଅଭିନେତା ରାମ ଚରଣଙ୍କୁ ପ୍ରଶଂସା କରିଥିଲେ। ଏଥିରେ ଏନ୍‌ଟିଆର ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଆଓ୍ବାର୍ଡ ସମାରୋହରେ ଏହି ତିନିଜଣ ପରସ୍ପର ଉପରେ ଆଦୌ ରାଗି ନ ଥିବାର ନଜର ଆସିଥିଲେ। ଓସ୍କାର ପୁରସ୍କାରରେ ନାଟୁ-ନାଟୁ ଗୀତ ବିଜୟ ଘୋଷଣା ହେବା ମାତ୍ରେ ରାମଚରଣ, ଜୁନିଅର ଏନ୍‌ଟିଆର ଏବଂ ରାଜାମୌଲି ଖୁସିରେ ଡେଇଁପଡିଥିବାର ଦେଖାଯାଇଥିଲା। ଏହାପରେ ରାମଚରଣ ଏନ୍‌ଟିଆରଙ୍କୁ ଆଲିଙ୍ଗନ କରିଥିଲେ। ଏହାର ଭିଡିଓ ରାମଚରଣଙ୍କ ସ୍ତ୍ରୀ ଉପାସନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Share