ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
AIIMS ପକ୍ଷରୁ ଅଗଷ୍ଟ ୧୪ରେ ଜାରି କରାଯାଇଥିବା ବୟାନ ଅନୁସାରେ, ନଡ୍ଡାଙ୍କର ବିଭିନ୍ନ ପରୀକ୍ଷା ସହ କରୋନାରୀ ଆଞ୍ଜିଓଗ୍ରାଫି ମଧ୍ୟ କରାଯାଇଛି। ପରୀକ୍ଷା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବର୍ତ୍ତମାନ ନଡ୍ଡାଙ୍କୁ AIIMSର କାର୍ଡିଓଲୋଜି ବିଭାଗରେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି। ହସ୍ପିଟାଲ୍ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏହାଠାରୁ ଅଧିକ ସୂଚନା ଦିଆଯାଇନାହିଁ।AIIMSର ବୟାନ ଅନୁସାରେ, ଡାକ୍ତରମାନେ ନଡ୍ଡାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି ।