ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖିବୁଜିଲେ ‘ଧରିତ୍ରୀ’ ଖବରଦାତା

ଏମ୍‌.ରାମପୁର,୫ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ କରିବାକୁ ଯାଇ ଶନିବାର ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଆଖି ବୁଜିଛନ୍ତି ‘ଧରିତ୍ରୀ’ର ଖବରଦାତା ତଥା ଓଜେୟୁର ସକ୍ରିୟ ସଭ୍ୟ ରୋହିତ ବିଶ୍ୱାଳ (୪୭)। ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। ଏଭଳି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲା ମାଓବାଦୀ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ଘଟିଛି। କଳାହାଣ୍ଡି ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣରେ ଖବରଦାତା ପ୍ରାଣ ହରାଇବା ପ୍ରଥମ ଘଟଣା।

କରଲାଖୁଣ୍ଟାରେ ମାଓବାଦୀଙ୍କ ପୋଷ୍ଟର ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ୍‌ ଓ ପୋଲିସ ଛାଉଣୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହ ଜବତ ହୋଇପାରିନାହିଁ।

ସୂଚନାଯୋଗ୍ୟ, ମାଓବାଦୀମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ। ଏତଦ୍‌ବ୍ୟତୀତ କଳାହାଣ୍ଡି ଜିଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ୍‌ କ୍ୟାମ୍ପକୁ ଉଠାଇବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ମଧ୍ୟ ସେମାନେ ଆହ୍ବାନ ଦେଇଛନ୍ତି।