Categories: ଖେଳ

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୯: ଆସନ୍ତା ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରୁ ଜଣଙ୍କ ପରେ ଜଣେ ଇଂଲଣ୍ଡ ଖେଳାଳି ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଲୋକପ୍ରିୟ କ୍ରିକେଟ ଲିଗ୍‌ରେ ଖେଳିବାକୁ ମନା କରି ଦେଇଛନ୍ତି ଦାଓ୍ବିଦ ମଲାନ, ଜନ୍ନି ବେଆରଷ୍ଟୋ ଓ କ୍ରିସ ଓ୍ବକ୍ସ।

ଆଇପିଏଲରେ ଭାଗ ନେବା ପାଇଁ ଇଂଲଣ୍ଡ ଓ ଭାରତୀୟ ଦଳର ଖେଳାଳି ମାଞ୍ଚେଷ୍ଟରରୁ ସିଧାସଳଖ ୟୁଏଇ ଯିବାର ଥିଲା। କିନ୍ତୁ ଭ୍ରମଣକାରୀ ଦଳର କ୍ୟାମ୍ପରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆଇପିଏଲ ଫ୍ରାଞ୍ଚାଇଜଙ୍କୁ ସେମାନଙ୍କ ବ୍ୟବସ୍ଥା କରିବାକୁ ପଡ଼ୁଛି।

ବେଆରଷ୍ଟୋ, ମଲାନ ଓ ଓ୍ବକ୍ସ ୬ ଦିନିଆ କ୍ୱାରେଣ୍ଟିନ ବ୍ୟବସ୍ଥା ପାଇଁ ପଛଘୁଞ୍ଚା ଦେଉଛନ୍ତି। ଆଇପିଏଲ ପରେ ଟି୨୦ ବିଶ୍ୱକପ୍‌ ଓ ଆଶେସ ଭଳି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଇଭେଣ୍ଟ ଥିବାରୁ ଏବେ ଘର ଲୋକଙ୍କ ସହ ସମୟ ବିତାଇବାକୁ ସେମାନେ ଚାହୁଁଛନ୍ତି ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।

Share