କଟକ ସଦର, ୨୧।୧୦ (ସୁଶାନ୍ତ କୁମାର ଜେନା):କଟକ ସଦର ତହସିଲ ଅନ୍ତର୍ଗତ କାଠଯୋଡ଼ି ନଦୀପଠା ଏବେ ଜବରଦଖଲକାରୀଙ୍କ କବ୍ଜାକୁ ଯାଉଛି। ନଦୀର ଜଳଧାର ନିକଟରେ ଥିବା ପଠା ଜମିରେ ସୁନ୍ଦର ସୁନ୍ଦର କୋଠା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ୪୨ ମୌଜା ଅଞ୍ଚଳରେ ଜନବସତି ବୃଦ୍ଧି ପାଉଥିବାରୁ ଲୋକେ ନଦୀପଠାର ଉର୍ବର ଜମିରେ ଘର ନିର୍ମାଣ କରିବାକୁ ପଛାଉନାହାନ୍ତି। ଏହାଦ୍ୱାରା ନଦୀବନ୍ଧ ମରାମତି କାର୍ଯ୍ୟରେ ବାଧା ଉପୁଜୁଥିବା ଜଣାପଡ଼ିଛି।
ନଦୀପଠାରେ ଜବରଦଖଲ ସମସ୍ୟାର ସମାଧାନ ଏବଂ ଜମିର ସ୍ଥିତି ସ୍ପଷ୍ଟ କରିବା ପାଇଁ ଯୁଗ୍ମ ସର୍ଭେର ଆବଶ୍ୟକତା ରହିଛି। ଏଥିପାଇଁ ମହାନଦୀ ସାଉଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ କଟକ ସଦର ତହସିଲଦାରଙ୍କୁ ଚିଠି ଲେଖି ସର୍ଭେ କରିବାକୁ ଅନୁରୋଧ କରିଥିଲେ। ୨୦ ଜୁନ ୨୦୨୫ରେ ପତ୍ର ସଂଖ୍ୟା ୬୨୮୦ ମାଧ୍ୟମରେ ଏହି ଅନୁରୋଧ କରାଯାଇଥିଲା। କିନ୍ତୁ ଏକ ବର୍ଷରୁ ଅଧିକ ସମୟ ବିତିବା ସତ୍ତ୍ୱେ ଯୁଗ୍ମ ସର୍ଭେ ହୋଇପାରିନାହିଁ। ଏହି ବିଳମ୍ବ ପାଇଁ ତହସିଲଦାରଙ୍କ ଅସହଯୋଗକୁ ଦାୟୀ କରାଯାଇଛି। ଏପରିକି ଏହି ପ୍ରସଙ୍ଗରେ ରାଜନୈତିକ ଚାପ ଓ କ୍ରୋଧର ଶିକାର ହୋଇ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି।
ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶକୁ ଆଧାର କରି ନଦୀର ଜଳଧାର ନିକଟବର୍ତ୍ତୀ ଜମିର ବ୍ୟବହାର ଓ ନିୟନ୍ତ୍ରଣକୁ ନେଇ ପ୍ରଶ୍ନ ଉଠିଛି। ସମ୍ପୃକ୍ତ ନିର୍ଦ୍ଦେଶ ଅନୁଯାୟୀ, ନଦୀ ଜଳଧାର ପାର୍ଶ୍ୱବର୍ତ୍ତୀ ଜମି ସରକାରୀ ହେଉ କି ବ୍ୟକ୍ତିଗତ ମାଲିକାନାରେ ଥାଉ, ତାହା ଜଳସେଚନ ବିଭାଗର ନିୟନ୍ତ୍ରଣାଧୀନ ରହିବ ବୋଲି ଦାବି କରାଯାଉଛି। ବ୍ୟକ୍ତିଗତ ମାଲିକାନାର ଜମିରେ ମଧ୍ୟ ସ୍ଥାୟୀ ନିର୍ମାଣ ଅବୈଧ ବିବେଚିତ ହେବ ଏବଂ ଏହି ଜମି କେବଳ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ ବୋଲି ଉଲ୍ଲେଖ ରହିଛି।
କାଠଯୋଡ଼ି ନଦୀପଠାରେ ବଢ଼ୁଥିବା ଜବରଦଖଲ ଏବଂ ଯୁଗ୍ମ ସର୍ଭେରେ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ନଦୀବନ୍ଧର ସୁରକ୍ଷା ଓ ମରାମତି କାର୍ଯ୍ୟକୁ ସୁଗମ କରିବା ପାଇଁ ଜମିର ସଠିକ ଚିହ୍ନଟ ଏବଂ ପ୍ରଶାସନିକ ପଦକ୍ଷେପ ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ କଟକ ସଦର ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।