ଜଗନ୍ନାଥପ୍ରସାଦରେ ଖୋଲିବ ଜେଏମ୍‌ଏଫ୍‌ସି କୋର୍ଟ

ଭଞ୍ଜନଗର,୨୪।୮(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦରେ ଜେଏମ୍‌ଏଫସି କୋର୍ଟ ଆସନ୍ତା ୩୧ ତାରିଖରେ ଉଦ୍‌ଘାଟିତ ହେବ। ନିଜସ୍ବ କୋଠା ନିର୍ମାଣ ହୋଇ ନ ଥିବା ଯୋଗୁ ରାଜସ୍ବ ବିଭାଗ ଡାକ ବଙ୍ଗଳାରେ ଏହା ଅସ୍ଥାୟୀ ଭାବେ ଚାଲିବ। ସେହିଦିନ ସେଠାରେ କୋର୍ଟର ସ୍ଥାୟୀ କୋଠା ପାଇଁ ଶିଳାନ୍ୟାସ ହେବ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ଭଞ୍ଜନଗର କୋର୍ଟର ନୂତନ କୋଠା ଲାଗି ବାଗଦେବୀ ରୋଡରେ ଶିଳାନ୍ୟାସ ହେବ। ସେଥିରେ ମଧ୍ୟ ମୁଖ୍ୟ ବିଚାରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏଥିସହ ହାଇକୋର୍ଟର ଗଞ୍ଜାମ ଜିଲା ପ୍ରୋଟୋକଲ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେବେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ଭଞ୍ଜନଗର ବାର ଆସୋସିଏଶନ କର୍ମକର୍ତ୍ତା ଚେଷ୍ଟା ଚଳାଇଛନ୍ତି। ମଙ୍ଗଳବାର ଗଞ୍ଜାମ ଜିଲାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା, ଜିଲା କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ଭଞ୍ଜନଗର ଗସ୍ତରେ ଆସି ଶିଳାନ୍ୟାସ ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ଭଞ୍ଜନଗର କୋର୍ଟର ସବଜଜ୍‌ ସୋମଲୀନା ମିଶ୍ର, ଏସ୍‌ଡିଜେଏମ ଅମିତ୍‌ କୁମାର, ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ, ବାର ଆସୋସିଏଶନ କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜିଲାଜଜ୍‌ ଆଲୋଚନା କରିଥିଲେ। ସେହିଭଳି ସୋମବାର ଭଞ୍ଜନଗର ବାର ଆସୋସିଏଶନ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ଏଥିରେ ସଭାପତି ସନ୍ତୋଷ ନାୟକ ଅଧ୍ୟକ୍ଷତା କରିଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ, ସମ୍ପାଦକ ଅମରେଶ ମହାପାତ୍ର, ଉପସଭାପତି ଧୀରେନ ସ୍ବାଇଁ, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର , କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ଆଇନଜୀବୀ ଦଣ୍ଡପାଣି ସ୍ବାଇଁ, ବଟକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।