Categories: ବାଣିଜ୍ୟ

ଜିଓର ଟ୍ରୁ-୫ଜି,ବିଟା ପରୀକ୍ଷଣ ସେବା ଆରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଟ୍ରୁ-୫ଜି ସେବାର ବିଟା ପରୀକ୍ଷଣ ଦଶହରାରୁ ଆରମ୍ଭ ହୋଇଯାଇଛି। ଉକ୍ତ ସେବା ଦେଶର ପ୍ରମୁଖ ୪ ସହର ଯଥା ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣସୀରେ ଆରମ୍ଭ ହୋଇଛି। ଏହି ସେବା ଏବେ କେବଳ ନିମନ୍ତ୍ରଣ ଆଧାରରେ ପ୍ରଦାନ କରାଯିବ ଅର୍ଥାତ୍‌ ନିର୍ଦ୍ଦିଷ୍ଟ କେତେଜଣ ଜିଓ ଗ୍ରାହକଙ୍କୁ ଉକ୍ତ ସେବା ବ୍ୟବହାର କରିବା ଲାଗି ଆମନ୍ତ୍ରଣ କରାଯିବ। ଏହାର ଗ୍ରାହକମାନଙ୍କୁ ତା’ସହିତ ୱେଲକମ୍‌ ଅଫର ବି ମିଳିବ, ଯେଉଁଥିରେ ସେମାନଙ୍କୁ ୧ ଜିବିପିଏସ୍‌ ପର୍ଯ୍ୟନ୍ତର ସ୍ପିଡ୍‌ ଓ ଅସୀମିତ ୫ଜି ଡାଟା ମିଳିବ। ସେହିଭଳି ଆମନ୍ତ୍ରିତ ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କ ଅନୁଭବ ଆଧାରରେ କମ୍ପାନୀ ବିସ୍ତୃତ ୫ଜି ସେବାର ଶୁଭାରମ୍ଭ କରିବ। ଏପରିକି ‘ଉଇ କେୟାର’ ଅର୍ଥାତ୍‌ ଆମେ ଆପଣଙ୍କ ଯତ୍ନ ନେବୁ, ଜିଓ ଟ୍ରୁ-୫ଜି ସେହି ମୂଳମନ୍ତ୍ର ଉପରେ ତିଆରି ହୋଇଛି। ଆମନ୍ତ୍ରିତ ଜିଓ ୱେଲକମ୍‌ ଅଫର ବ୍ୟବହାରକାରୀମାନଙ୍କୁ ନିଜ ଜିଓ ସିମ୍‌ ବଦଳାଇବାକୁ ପଡ଼ିବ ନାହିଁ। କେବଳ ସେମାନଙ୍କ ମୋବାଇଲ ୫ଜି ହୋଇଥିବା ଦରକାର। ଜିଓ ଟ୍ରୁ-୫ଜି ସେବା ସ୍ବୟଂକ୍ରିୟ ଭାବେ ଅପ୍‌ଗ୍ରେଡ୍‌ ହୋଇଯିବ।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତ ଭଳି ଏକ ବଡ଼ ଦେଶରେ ସବୁଠୁ ଦ୍ରୁତଗତିରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ପ୍ରସ୍ତୁତ କରିଛି।

Share