Categories: ବାଣିଜ୍ୟ

ଏୟାରଟେଲ୍‌ଠାରୁ ଜିଓର ସ୍ପିଡ୍‌ ୩ ଗୁଣା ଅଧିକ

ନୂଆଦିଲ୍ଲୀ,୧୨।୧୦: ରିଲାଏନ୍ସ ଜିଓ ୫ଜି ସ୍ପିଡ୍‌ ପରୀକ୍ଷଣରେ ପାଖାପାଖି ୬୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ ହାସଲ କରିଛି। ଏପରିକି ନିକଟରେ ଶୁଭାରମ୍ଭ କରାଯାଉଥିବା ୫ଜି ସେବାର ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ପହଞ୍ଚିଛି ବୋଲି ଓକ୍‌ଲା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ବିଶେଷକରି ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ ଯେଉଁ ସହରଗୁଡ଼ିକରେ ନିଜର ୫ଜି ନେଟ୍‌ୱର୍କ ସ୍ଥାପନ କରିଛନ୍ତି ସେହିସବୁ ସହରରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ରହିଥିବା ଓକ୍‌ଲା ପକ୍ଷରୁ ତୁଳନା କରାଯାଇଛି। ସେହିଭଳି ଏୟାରଟେଲ୍‌ ପକ୍ଷରୁ ୮ଟି ସହରରେ ୫ଜି ସେବା ଆରମ୍ଭ ଘୋଷଣା କରାଯାଇଥିବା ବେଳେ ଜିଓ ପକ୍ଷରୁ ଟ୍ରୁ-୫ଜି ଭାବେ ପରିଚିତ ୫ଜି ସେବାର ବିଟା ପରୀକ୍ଷଣକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀ ସହରର କେତେଜଣ ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଯାଇଛି। ସେହିପରି ଓକ୍‌ଲାର ସ୍ପିଡ୍‌ ଟେଷ୍ଟ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଗତ ଜୁନ୍‌ରୁ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୧୯୭.୯୮ ଏମ୍‌ବିପିଏସ୍‌ ରହିଥିବା ବେଳେ ରିଲାଏନ୍ସ ଜିଓର ନେଟ୍‌ୱର୍କରେ ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ୫୯୮.୫୮ ଏମ୍‌ବିପିଏସ୍‌ ରହିଛି। ଅପରପକ୍ଷରେ ଜିଓର ହାରାହାରି ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଏୟାରଟେଲ୍‌ର ୫ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ତୁଳନାରେ ୩ ଗୁଣା ଅଧିକ ରହିଛି, ୫ଜିର ହାରାହାରି ଡାଉନ୍‌ଲୋଡ୍‌ ସ୍ପିଡ୍‌ରେ ସର୍ବାଧିକ ପାର୍ଥକ୍ୟ କୋଲକାତାରେ ଦେଖିବାକୁ ମିଳିଛି।

Share