ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ ଟାୱାର ସ୍ଥାପନ ପାଇଁ ଖୋଳାଯାଇଥିବା ଗଭୀର ଗାତ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ‘କାଳ’ ସାଜିଛି। କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ ଯୋଗୁଁ ଗ୍ରାମର ଜଣେ ଶ୍ରମିକ ନେକା ମାଝୀ (୩୪) ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏକାଧିକ ଗୋରୁ ମଧ୍ୟ ଏହି ଗାତରେ ପଡ଼ି ପ୍ରାଣ ହରାଇଛନ୍ତି। ଏହି ସମ୍ପର୍କରେ ଗ୍ରାମବାସୀ ବାରମ୍ୱାର କମ୍ପାନୀର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର କମ୍ପାନୀର ସାଇବର ଇଞ୍ଜିନିୟର ଆଶିଷ କୁମାର ସାହୁ (୮୩୨୮୮୪୪୧୪୧) ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ଅତ୍ୟନ୍ତ ଉଦ୍ଧତ ଏବଂ ମାନବିକତା ଶୂନ୍ୟ। ସେ କହିଛନ୍ତି – “ଏହି ବିଷୟରେ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଛି। ଆମ ଅପରେସନ ହେଡ ଚିନ୍ମୟ ଓଝାଙ୍କ ସହ କଥା ହୁଅନ୍ତୁ, ଆମ ହାତରେ କିଛି ନାହିଁ। ଆପଣଙ୍କ ସମସ୍ୟା କମ୍ପାନୀ ସମାଧାନ କରିବ କି ନାହିଁ ଆମେ ଜାଣିନୁ। ଗାଈ ଗୋରୁ କିମ୍ୱା ମଣିଷ ଗାତରେ ପଡ଼ିବା କଥା ଆମେ ବୁଝିବୁ ନାହିଁ। ଯଦି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି, ତେବେ ଜିଲ୍ଲାପାଳ ଯାହା କରିବେ କରନ୍ତୁ, ଆମେ କିମ୍ୱା ଆମ କମ୍ପାନୀ ଏଥିପାଇଁ ଦାୟୀ ରହିବୁ ନାହିଁ।” ବୋଲି କହିଥିବା ବେଳେ ଏଭଳି ବ୍ୟବସାୟିକ ଅହଂକାର ଗରିବ ଆଦିବାସୀଙ୍କ ସମସ୍ୟାକୁ ଉପହାସ କଲା ଭଳି ମନେ ହେଉଛି ।

ସୂଚନାଯୋଗ୍ୟ ଯେ, ଗତ ୩-୪ ବର୍ଷ ତଳେ ପାଇପ ପୋତିବା ପାଇଁ ବେଜେ ମାଝୀଙ୍କ ଚାଷ ଜମି ଠାରୁ ମାସିଆ ଗୌଡ଼ଙ୍କ ଜମି ପର୍ଯ୍ୟନ୍ତ ଏକ ବିରାଟ ଗାତ ଖୋଳାଯାଇଥିଲା। ଗତ ୯ ତାରିଖ ସଂଧଧ୍ୟାରେ ନେକା ମାଝୀ କାମ ସାରି ଫେରୁଥିବା ବେଳେ ସେହି ମରଣଯନ୍ତାରେ ପଡ଼ିଯାଇଥିଲେ। ଫଳରେ ତାଙ୍କ ଜଙ୍ଘ ଓ ଅଣ୍ଟା ହାଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଚଳ ହୋଇଯିବା ପରେ ବୃଦ୍ଧ ପିତା ମୀନା ମାଝୀ ଓ ମାଆ ଦାନମତି ମାଝୀ ସମ୍ପୂର୍ଣ୍ଣ ସହାୟଶୂନ୍ୟ ହୋଇପଡ଼ିଛନ୍ତି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ନେବାକୁ ସମ୍ୱଳ ନାହିଁ। ଏହି ଅନ୍ୟାୟ ବିରୋଧରେ ଗ୍ରାମର ସ୍ୱର ଉତ୍ତୋଳନ କରିଥିବା ବ୍ୟକ୍ତିମାନେ ହେଲେ, ଗାଁ ସାଥି ଗୋପାଳ ନାଏକ ଓ ପ୍ରଫୁଲ୍ଲ ନାଏକ, ୧୧ ନମ୍ୱର ୱାର୍ଡ ମେମ୍ୱର ରାଇସିଂ ମାଝୀ, ରାଜେନ୍ଦ୍ର ମାଝୀ, ପଥି ମାଝୀ, ଅଞ୍ଚଳ ମାଝୀ, ମୋହନ ମାଝୀ, ବିଜୁ ମାଝୀ, ଟିପା ମାଝୀ, ବିକାଶ ନାଏକ, କାଳିଆ ମାଝୀ, ମାଙ୍ଗତୀ ମାଝୀ, ଅଭି ନାଏକ, କବି ନାଏକ ଓ ନବୀନ ମାଝୀ। ତେବେ ଜିଲ୍ଲା ପ୍ରଶାସନ ତଥା ଜାତୀୟ ମାନବାଧିକାର କମିଶନ (NHRC) ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଜିଓ କମ୍ପାନୀ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନେକା ମାଝୀଙ୍କ ଚିକିତ୍ସା ଖର୍ଚ୍ଚ, ପରିବାରର ଭରଣପୋଷଣ ଏବଂ ମୃତ ଗୋରୁଙ୍କ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି। ଯଦି କମ୍ପାନୀ ନିଜର ବେପରୁଆ ମନୋଭାବ ନ ବଦଳାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

