Categories: ଫୁରସତ

ଝୁମର୍‌ ଝୁମ୍‌କା

ନାରୀର ପ୍ରିୟ ଆଭୂଷଣ ମଧ୍ୟରେ କାନର ଝୁମ୍‌କା ଅନ୍ୟତମ। ତେଣୁ ଝୁମ୍‌କାର ଭଲ ସଂଗ୍ରହ ଥାଏ ପ୍ରାୟ ସବୁ ମହିଳାଙ୍କ ପାଖରେ। ଭିନ୍ନ ଭିନ୍ନ ଡିଜାଇନର ଝୁମ୍‌କା ଚେହେରାକୁ ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ। ତେବେ ଏକ ଅଜବ ଡିଜାଇନ୍‌ର ଝୁମ୍‌କା ଏବେ ବେଶ୍‌ ଚର୍ଚ୍ଚାରେ ଅଛି। କାରଣ ଏହା ଝୁମ୍‌କା ପରି ବହୁତ କମ୍‌, ଆଉ ଘରର ସିଲିଂରେ ଝୁଲୁଥିବା ଝୁମର୍‌ ବା ଚାଣ୍ଡେଲିୟର ପରି ବେଶି ଦେଖାଯାଏ। ସତସତିକା ଝୁମରରେ ଲାଗିଥିବା ଲାଇଟ୍‌ ତଥା କ୍ୟାଣ୍ଡେଲ ପରି ଏହି ଇୟରରିଂ ଜଳିଥାଏ ମଧ୍ୟ। ତେଣୁ ଏହାକୁ ‘ଚାଣ୍ଡେଲିୟର ଝୁମ୍‌କା’ ବି କୁହାଯାଉଛି। ଉକ୍ତ ଇୟରିଂକୁ ନ୍ୟୁୟର୍କର ଡାଏନା କୈଲଡେରିସ୍କୁ ତିଆରି କରିଛନ୍ତି। ସେ ଜଣେ ଟେକ୍ନିକାଲ ଡିଜାଇନର୍‌ ହେବା ସହ ଫ୍ୟାଶନ ଇଲୁଷ୍ଟ୍ରେଟର। ଡାଏନା ଏହାକୁ ତିଆରି କରିବା ଲାଗି ବ୍ରାସ୍‌, ଷ୍ଟର୍ଲିଂ ସିଲ୍‌ଭର, ୧୪ କ୍ୟାରେଟ୍‌ ସୁନା ଓ ଗ୍ଲାସ୍‌ କ୍ରିଷ୍ଟାଲ ବ୍ୟବହାର କରିଛନ୍ତି। ତା’ସହ ଏଥିରେ ମହମବତିର ଲୁକ୍‌ ଦେବା ଲାଗି ଏଲ୍‌ଇଡି ଲାଇଟ୍‌ର ବ୍ୟବହାର ବି କରିଛନ୍ତି। ଫଳରେ ଏହି ଝୁମର୍‌ କାନଫୁଲଟି କ୍ୟାଣ୍ଡେଲ ଜଳିବା ପରି ଦେଖାଯାଏ। ଏହି ଝୁମ୍‌କାର ପଛଭାଗରେ ଲାଗିଥିବା ବ୍ୟାଟେରି ଉକ୍ତ ଝୁମ୍‌କାକୁ ଜଳାଇବା ଲାଗି ଶକ୍ତି ପ୍ରଦାନ କରିଥାଏ। ଆଉ କାନରେ ଯେବେ ଏହି ଲାଇଟ୍‌ ଜଳେ ସତସତିକା ଚାଣ୍ଡେଲିୟର୍‌ ପରି ଦେଖାଯିବା ସହ ବେଶ୍‌ ସୁନ୍ଦର ଓ ଆକର୍ଷକ ବି ଲାଗେ। ଏହାର ମୂଲ୍ୟ ୧୨୦୦୦ ଟଙ୍କା ଥିବାବେଳେ ଏଥିରେ ଏକ ବର୍ଷର ଓ୍ବାରେଣ୍ଟି ବି ଦିଆଯାଉଛି।

Share