ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍ ଅଟକି ଯାଇଥିଲା। ଫଳରେ ପରିବାରର ଅନେକ ସଦସ୍ୟ ଦୀର୍ଘ ସମୟ ଧରି ଲିଫ୍ଟ ଭିତରେ ଫସି ରହିଥିଲେ । ଏହି ସମୟରେ ଭୟ ଓ ଆତଙ୍କ ଯୋଗୁଁ ୬ ଜଣ ବେହୋସ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବସନ୍ତ ବିହାରସ୍ଥିତ ହୋଲି ଏଞ୍ଜେଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ସଦସ୍ୟଙ୍କ ଅବସ୍ଥା ଦେଖି ପୂର୍ବତନ ଏମପି ଘୂରନ ରାମ ଝାଡ଼ଖଣ୍ଡ ଭବନର ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।
ଘଟଣା ସହ ଜଡ଼ିତ ଭିଡିଓରେ ଲିଫ୍ଟ ଭିତରେ ଅନେକ ଲୋକ ଫସିଥିବା ଦେଖାଯାଇଛି । ଲିଫ୍ଟର ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଲୋକ ଏଥିରେ ଚଢ଼ିଥିବାରୁ ଏହା ଅଟକିଥିବା ନେଇ ଆଲୋଚନା ହେଉଛି । ତେବେ ଲିଫ୍ଟ ଅଟକିବାର ପ୍ରକୃତ କାରଣ ସମ୍ପର୍କରେ ଅଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା। ତେବେ ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ପରବର୍ତ୍ତୀ ଦିନ ସୂଚନା ମିଳିଥିବା କୁହାଯାଉଛି। ଘଟଣା ପରେ ପରିବାରର ଅନେକ ସଦସ୍ୟଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି।
ଦିଲ୍ଲୀରେ ବିଭିନ୍ନ ରାଜ୍ୟର ନିଜସ୍ୱ ଭବନ ରହିଛି । ସମ୍ପୃକ୍ତ ରାଜ୍ୟରୁ ଆସୁଥିବା ନେତା, ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଅଧିକାରୀମାନେ ଏଠାରେ ରହିଥାନ୍ତି । ଝାଡ଼ଖଣ୍ଡ ଭବନରେ ଘଟିଥିବା ଏହି ଲିଫ୍ଟ ଅଘଟଣ ପରେ ଭବନର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି ।