ଭବାନୀପାଟଣା,୨୦ା୬ (ଉତ୍ତମ କୁମାର ଦାଶ):ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଗତ ୧୫ରୁ ୧୭ ତାରିଖ ଯାଏ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ଛାତ୍ରୀ ଝାନସୀରାଣୀ ମିଶ୍ର ‘ନାରୀ ସଶକ୍ତୀକରଣ’ ଶୀର୍ଷକ ଉପରେ ଉଚ୍ଚ କୋଟିର ବକ୍ତୃତା ଉପସ୍ଥାପନ କରି ସମସ୍ତଙ୍କୁ ସ୍ତମ୍ବିଭୁତ କରିବା ସହ ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାନସୀ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ନିଜ ବକ୍ତବ୍ୟ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି। କାର୍ଯ୍ୟକ୍ରମରେ ଦେଶର ୧୦୮ ଜଣ ଛାତ୍ରୀଛାତ୍ର ଭାଗ ନେଇଥିବାବେଳେ ଓଡ଼ିଶାର ୩ ଜଣ ରହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଯୋଗଦେଇଥିଲେ। ସଂସଦରେ ଚମତ୍କାର ବକ୍ତୃତା ପରେ ଉପସ୍ଥିତ ଅତିଥିଗଣ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଝାନସୀ ନର୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ପୁଷ୍ପଲତା କରଙ୍କ ଝିଅ ଏବଂ ସମାଜସେବୀ ତଥା ରାଜନୀତିଜ୍ଞ ସ୍ବର୍ଗତ ଦୁର୍ଗା ଶଙ୍କର କରଙ୍କ ନାତୁଣୀ। ଏହି ସଫଳତା ପାଇଁ କଳାହାଣ୍ଡି ବ୍ରାହ୍ମଣ ସମାଜ ସମେତ ଜିଲାର ବୁଦ୍ଧିଜୀବୀ ମହଲରୁ ଝାନସୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।