ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ

ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ ଗ୍ରାମର ଦୁଇଶହ ପରିବାର ରହୁଛନ୍ତି। ଏଠାରେ ସର୍ବନିମ୍ନ ସୁବିଧା ଏବଂ ନିର୍ମାଣାଧୀନ ଘରେ ପାଣି ଗଳୁଥିବା ଅଭିଯୋଗ କରି ବିସ୍ଥାପିତ କଲୋନୀ ଆସିବାକୁ ସେମାନେ ନାରାଜ ଥିଲେ। କିନ୍ତୁ ନଛୋଡ ବନ୍ଧାଥିବା ଜିଲା ପ୍ରଶାସନ ବିସ୍ଥାପିତ ଗ୍ରାମବାସୀଙ୍କୁ ଜୋର ଜୁଲୁମ କରି ସ୍ଥାନାନ୍ତରଣ କରିଥିଲେ। ବିସ୍ଥାପିତଙ୍କ ଅଭିଯୋଗ ଆଧାରରେ ବଲାଙ୍ଗୀର ବିଧାୟକ ବିସ୍ଥାପିତ କଲୋନୀ ବୁଲି ସ୍ଥିତି ଅନୁଧ୍ୟାନ କରି ବିସ୍ଥାପିତ ଡୁଙ୍ଗରୀପାଲିବାସୀଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନକୁ ସମୀକ୍ଷା ବୈଠକ ଡାକି ବିସ୍ଥାପିତ ପ୍ରତି ହେଉଥିବା ଅନ୍ୟାୟ ଓ ଝଙ୍କାରପାଲି ଆରଆର କଲୋନୀ ଅବ୍ୟସ୍ଥାକୁ ନେଇ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆରଆର କଲୋନୀର ଅବ୍ୟବସ୍ଥା ଶୀଘ୍ର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନର ଅବହେଳାରୁ ତାହା କାର୍ଯ୍ୟକାରୀ ନ ହୋଇ ନିର୍ଦ୍ଦେଶରେ ସୀମିତ ହୋଇ ରହିଛି ବୋଲି ବିସ୍ଥାପିତ କଲୋନୀବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ସକାଳ ୧୦ ଟା ରୁ ବର୍ଷା ହେଉଛି। ୨୪ଘଣ୍ଟାରୁ ଅଧିକ ସମୟ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ବିସ୍ଥାପିତ କଲୋନୀରେ ବର୍ଷା ପାଣି ଜମି ରହିଛି। ନିଷ୍କାସନ ସୁବିଧା ନ ଥିବାରୁ ପାଣି ଘେରରେ ବିସ୍ଥାପିତ ଡୁଙ୍ଗରୀପାଲି ବାସୀ ରହିଛନ୍ତି। ନିକଟରେ ମାଡା ଜୋର୍‌ ଯାଇଥିବା ବନ୍ୟା ପାଣି ମାଡ଼ି ଆସିବା ଆଶଙ୍କା ରେ ଆତଙ୍କିତ ହୋଇ ପଡିଛନ୍ତି ବିସ୍ଥାପିତ। ପାଣି ବିଦ୍ୟୁତ ସରବରାହ ବନ୍ଦ କରି ବର୍ଷା ଦିନରେ ବଳପୂର୍ବକ ସ୍ଥାନାନ୍ତରଣ କରାଗଲା। ହେଲେ ପ୍ରଶାସନ ଆଦୂରଦର୍ଶିତା ଯୋଗୁ ଅସ୍ଥାୟୀ କ୍ୟାମ୍ପରେ ସମସ୍ୟା ଭୋଗୁଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି। ପାଣି ଘେରରେ ରହିଥିଲେ ବି ସେଠାକୁ ପ୍ରଶାସନ ର ପାଦ ପଡି ନ ଥିବା ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।