ଭୈରବ ଦେବଙ୍କ ଝାମୁଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଳିଶି

ଭବାନୀପାଟଣା/କୋକସରା,୧୬।୯(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ତଥା ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିଶିଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। କାଳିଶି ମାଟି ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା, କଣ୍ଟା ଦୋଳିରେ ଝୁଲିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥିଲା।

ଚଳିତ ବର୍ଷ ଲାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ। ସେହିପରି ଶରତ ଚନ୍ଦ୍ର ପୂଝାରୀଙ୍କ ଦେହରେ ମା’ ମାଣିକେଶ୍ୱରୀ କାଳିଶି ରୂପରେ ପ୍ରବେଶ କରିଥିଲେ। ଥୁଆମୂଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ। ତତ୍କାଳୀନ ଥୁଆମୂଳ ରାମପୁର ରାଜା ରାମଚନ୍ଦ୍ର ଦେବ ୧୮୯୧ରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁରରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଯାକଜମକରେ ପାଳନ କରାଯାଉଥିବା ଗବେଷକମାନେ ମତବ୍ୟକ୍ତ କରୁଥିବା ବେଳେ ଯାତ୍ରାର ଅନେକ କିମ୍ବଦନ୍ତୀ ରହିଛି ।
ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ଯାତ୍ରା ପାଳନ କରାଯାଇଛି ।

ଥୁଆମୂଳ ରାମପୁର ପୀଠର ଏକ ସ୍ବତନ୍ତ୍ରତା ରହିଛି । ଏଠାରେ ଝାମୁଯାତ୍ରା ସମ୍ପନ୍ନ ପରେ ନିକଟସ୍ଥ ଅନ୍ୟାନ୍ୟ ପୀଠଗୁଡିକରେ ପାର୍ବଣ ପୂଜା କରାଯାଏ । ପ୍ରକୃତି ଓ ମଣିଷ ଏବଂ କୃଷି ସହିତ ଏହି ପର୍ବର ଘନିଷ୍ଠ ସମ୍ପର୍କ ରହିଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ଓ ବାଜାର ଶବ୍ଦରେ ପ୍ରକମ୍ପିତ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ସରପଞ୍ଚ ବିଜୟା ମାଝୀ, ଏମ୍‌ପିଙ୍କ ପ୍ରତିନିଧି ବିଷ୍ଣୁ ନାଏକ, ପରମେଶ୍ବର ନାଏକ, କଲେଜ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ମୁଣ୍ଡଛିନା, ଜିଲା ପରିଷଦ ସଦସ୍ୟ ଟୁନି ଖୋସ୍ଲା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।