ବଗଳାମୁଖୀ ମନ୍ଦିରରୁ ମା’ଙ୍କ ସୁନା ଆଖି, ଚିତା ଅଳଙ୍କାର ଲୁଟିନେଲେ

ଚିକିଟି,୨୯ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ୧୫ ଦିନ ମଧ୍ୟରେ ଅଞ୍ଚଳରେ ୩ଟି ଚୋରି ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ମୁଖ୍ୟତଃ ମନ୍ଦିରଗୁଡିକୁ ଟାର୍ଗେଟ କରୁଛନ୍ତି।

କିଛିଦିନ ତଳେ ବାରାହୀ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରିରେ ଚିକିଟି ଏନ୍‌ଏସିର କରବାଲୁଆ ଗ୍ରାମ ନିକଟ ଲୋକନାଥପୁର ଶାସନର ଇଷ୍ଟଦେବୀ ମା ବଗଳାମୁଖୀଙ୍କ ମନ୍ଦିରରୁ ଲୁଟ ହୋଇଛି। କେତେକ ଦୁର୍ବୁତ୍ତ ମା’ଙ୍କୁ ପିନ୍ଧାଯାଇଥିବା ଅଳଙ୍କାର ଲୁଟିନେଇଛନ୍ତି। ଏପରିକି ମା’ଙ୍କ ସୁନା ଆଖି, ଚିତା ସହ ବିଭିନ୍ନ ଅଳଙ୍କାର ଆଦି ଲୁଟି ନେଇଥିବା ନେଇ ମନ୍ଦିରର ମୁଖ୍ୟ ପୁରୋଧା ଅଶୋକ କୁମାର ପାଢ଼ୀ ଥାନାକୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଚିକିଟି ଏସ୍‌ଡିପିଓ, କେ.ନୂଆଗାଁ ଥାନାଧିକାରୀ କିଶୋର କୁମାର ସାମଲ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଚିକିଟି ଫାଣ୍ଡି ଅଧିକାରୀ ସୁମନ ମଲ୍ଲିକ ସୂଚନା ଦେଇଛନ୍ତି।