Categories: ଜାତୀୟ

‘ସାଧାରଣଜନତା ଖଡ୍‌ଗେ-ଫଡ୍‌ଗେଙ୍କୁ ଜାଣନ୍ତି ନାହିଁ, ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ’

ନୂଆଦିଲ୍ଲୀ,୨୨।୧୨: ଗୋଟିଏ ପଟେ ‘ଇଣ୍ଡିଆ’ ମହାମେଣ୍ଟ ନାମରେ ବିରୋଧୀ ଏକଜୁଟ ହେବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦଳଗୁଡ଼ିକ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବେ ସେ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଏହି କ୍ରମରେ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦ ଲାଗି ଉପଯୁକ୍ତ ପ୍ରାର୍ଥୀ ବୋଲି କହିଛନ୍ତି।

ବିଧାୟକ ଗୋପାଳ କହିଛନ୍ତି, ନୀତୀଶ ଜଣେ ନିର୍ବିବାଦୀୟ ନେତା। ଏଣୁ ତାଙ୍କୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିବା ଉଚିତ। କଂଗ୍ରେସର ଓଜନ ନାହିଁ। କାରଣ କଂଗ୍ରେସ କାରଣରୁ ଭାଜପା ଶାସନ କ୍ଷମତାକୁ ଆସିଛି। ଦଳ ଯେଉଁ ଧନ୍ଦା କରି ଆସିଛି ତାହା ହିଁ କରିବ। ଏଣୁ କଂଗ୍ରେସ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ସାଧାରଣଜନତା ଖଡ୍‌ଗେ ଫଡ୍‌ଗେଙ୍କୁ ଜାଣନ୍ତି ନାହିଁ। ଆମେ ବି ତାଙ୍କୁ ଜାଣି ନାହୁଁ। ଏବେ ଆପଣ କହିଲେ ବୋଲି ଆମେ ଜାଣିଲୁ ଯେ ସେ କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି। ଖଡଗେଙ୍କୁ କେହି ଜାଣନ୍ତି ନାହିଁ। ସମସ୍ତେ ନୀତୀଶଙ୍କୁ ଜାଣନ୍ତି। ଏଣୁ ସେ ହିଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

କହିରଖୁଛୁ, ନୂଆଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଭାବେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ନାମ ନେଇଥିଲେ। ହେଲେ ଲାଲୁ ଯାଦବ, ନୀତୀଶ କୁମାର ଏଥିରେ ସହମତି ପ୍ରକାଶ କରି ନ ଥିଲେ। ଏପରିକି ସେମାନେ ବୈଠକରୁ ଶୀଘ୍ର ଚାଲିଆସିଥିଲେ। ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ମଧ୍ୟ ଦେଇ ନ ଥିଲେ।

Share