ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ ଷଣ୍ଢ ଗୁରୁତର ହୋଇ ଚିକିତ୍ସା ହେଉଛି। ବିବେକାନନ୍ଦ ସାମନ୍ତରାୟଙ୍କ ଏତଲା କ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନାରେ (ନଂ. ୨୬୮/୨୬)ରେ ମାମଲା ରୁଜୁ କରାଯାଇ ଅବସରପ୍ରାପ୍ତ ସୈନିକ ଦିବାକର ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ା ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଅମଣାପାରିର ଦିବାକର ସୈନିକ ଭାବେ କାର୍ଯ୍ୟକରି ଅବସର ନେବା ପରେ ଗଁାରେ ଚାଷବାସ କରୁଛନ୍ତି। ନିକଟରେ ଥିବା ମଧୁପୁର ମୌଜା ବିଲରେ ସେ ତଳି ପକାଇଛନ୍ତି। ଗୁରୁବାର ଦୁଇଟି ଷଣ୍ଢ ବିଲରେ ପଶି ତଳି ଖାଇଥିଲେ। ଏଥିରେ ଦିବାକର ଉତ୍କ୍ଷିପ୍ତ ହୋଇ ଦୁଇଟି ଷଣ୍ଢଙ୍କୁ ପ୍ରଥମେ ଶାବଳରେ ପିଟିଥିଲେ। ପରେ ଉତ୍ତ୍ୟକ୍ତ ହୋଇ କଟୁରିରେ ଗୋଟିଏ ଷଣ୍ଢଙ୍କୁ ହାଣିଦେଇଥିଲେ। ଘଟଣାସ୍ଥଳରେ ତା’ର ମୃତ୍ୟୁ ହେବା ସହ ଅନ୍ୟ ଏକ ଷଣ୍ଢ ଗୁରୁତର ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିବାକରଙ୍କୁ ଗିରଫ ସହ ଶାବଳ ଓ କଟୁରି ଜବତ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ମୃତ ଷଣ୍ଢର ବ୍ୟବଚ୍ଛେଦ ପରେ ମଧୁପୁର ଛକରେ ପୋତିଦିଆଯାଇଛି।