ସ୍ତ୍ରୀଙ୍କୁ ଆକ୍ରମଣ କରି ଯବାନ ଗିରଫ

ଆନନ୍ଦପୁର,୨୯ା୭(ସନ୍ତୋଷ ରାଉତ): ଆନନ୍ଦପୁର ପୌରପରିଷଦର ଫକୀରପୁରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗିରଫ ଯବାନ ଫକୀରପୁର ଗ୍ରାମର ଶରତ ଚନ୍ଦ୍ର ମୁଦୁଲି। ଶୁକ୍ରବାର ରାତିରେ କୌଣସି କାରଣକୁ ନେଇ ଶରତ ଓ ତାଙ୍କ ସ୍ତ୍ରୀ ସ୍ନେହପ୍ରଭା ବାରିକଙ୍କ ସହିତ ବିବାଦ ସୃଷ୍ଟି ହୋଇଥିଲା। ପରେ ଯବାନ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ମାରିଥିଲେ। ଏହି ଘଟଣାରେ ସ୍ତ୍ରୀ ସ୍ନେହପ୍ରଭା ୧୧୨କୁ କଲ୍‌ କରି ପୋଲିସର ସହାୟତା ଲୋଡ଼ିଥିଲେ। ପୋଲିସ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଯବାନ ଓ ତାଙ୍କ ପରିବାର ପକ୍ଷରୁ ପୋଲିସକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପୋଲିସକୁ ଆକ୍ରମଣ ଘଟଣାର ସୂଚନା ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆନନ୍ଦପୁର ପୋଲିସ ବି ମାଡ଼ରୁ ବର୍ତ୍ତି ନ ଥିଲା। ଏପରିକି ପରିବାର ପକ୍ଷରୁ ପୋଲିସର ଡ୍ରେସ୍‌ ଚିରିବା ଭଳି ଘଟଣା ଘଟିଥିଲା। ଏଭଳି ଘଟଣାରେ ପୋଲିସ ଯବାନ ଶରତଙ୍କୁ ଗିରଫ କରିଥିଲା। ଶନିବାର ପୋଲିସ ଯବାନଙ୍କୁ କୋର୍ଟରେ ହାଜର କରାଇବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ସ୍ଥାନାନ୍ତର କରାଯାଇଛି। ପୋଲିସକୁ ଆକ୍ରମଣ ଅଭିଯୋଗରେ କର୍ମଚାରୀ ଅମୂଲ୍ୟ ଭୋଇଙ୍କ ଅଭିଯୋଗ କ୍ରମେ ୧୬୬/୨୩ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସ୍ତ୍ରୀ ସ୍ନେହପ୍ରଭାଙ୍କ ଅଭିଯୋଗ କ୍ରମେ ୧୬୮/୨୩ରେ ଦୁଇଟି ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଦେବକୀ ନାଇକଙ୍କ ନିକଟରୁ ସୂଚନା ମିଳିଛି।