ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର ଦାମରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯେଉଁ ଗୁଡ଼ ପୂର୍ବରୁ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହାର ଦର ବଢ଼ି ୮୦ରୁ ୯୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଞ୍ଚିଛି।
ଅର୍ଥାତ୍ ଗୁଡ଼ର ଦାମ ପ୍ରାୟ ଦୁଇଗୁଣା ହୋଇଛି। ଚିନି ମହଙ୍ଗା ହେବା ପରେ ଏବେ ଗୁଡ଼ର ଦାମ ବଢ଼ିବା ଯୋଗୁ ଘରୋଇ ବଜେଟ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ।
ଭାରତକୁ ଗୁଡ଼ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ ନାହିଁ। ଗୁଡ଼ ଉତ୍ପାଦନରେ ଭାରତ ବିଶ୍ୱର ଅଗ୍ରଣୀ ଦେଶ। ବିଶ୍ୱର ମୋଟ ଗୁଡ଼ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ ଭାରତରେ ଉତ୍ପାଦିତ ହୁଏ ବୋଲି ଦାବି କରାଯାଏ।
ଭାରତରେ ଉତ୍ପାଦିତ ଆଖୁର ପ୍ରାୟ ୩୦ ପ୍ରତିଶତ ଗୁଡ଼ ତିଆରିରେ ବ୍ୟବହାର ହୁଏ। ଏହି କାରଣରୁ ଭାରତ ଗୁଡ଼ର ଏକ ବଡ଼ ଉତ୍ପାଦକ ଓ ରପ୍ତାନିକାରୀ ଦେଶ ଭାବେ ମଧ୍ୟ ପରିଚିତ।
ଗୁଡ଼ ମହଙ୍ଗା ହେବା ପଛରେ ଅନେକ କାରଣ ରହିଛି। ସବୁଠାରୁ ବଡ଼ କାରଣ ହେଉଛି ଚିନିର ଦାମ ବୃଦ୍ଧି। ଚିନି ମହଙ୍ଗା ହେବା ପରେ ଲୋକମାନେ ମିଠା ପାଇଁ ଗୁଡ଼ର ବ୍ୟବହାର ଅଧିକ କରୁଛନ୍ତି। ଫଳରେ ଗୁଡ଼ର ଚାହିଦା ବଢ଼ିଛି।
ଏଥାନଲ ଉତ୍ପାଦନ ମଧ୍ୟ ଏହାର ଏକ କାରଣ ଭାବେ ଦେଖାଯାଉଛି। ଆଖୁ ଏବଂ ଆଖୁରୁ ମିଳୁଥିବା ବାଇ-ପ୍ରଡକ୍ଟର ଏକ ବଡ଼ ଅଂଶ ଏଥାନଲ ଉତ୍ପାଦନରେ ବ୍ୟବହାର ହେଉଛି। ଏହାର ପ୍ରଭାବ ଚିନି ସହିତ ଗୁଡ଼ ଉତ୍ପାଦନ ଉପରେ ମଧ୍ୟ ପଡ଼ୁଛି।
ଫଳରେ ବଜାରରେ ଗୁଡ଼ର ଯୋଗାଣ ଓ ଚାହିଦା ମଧ୍ୟରେ ସନ୍ତୁଳନ ପ୍ରଭାବିତ ହୋଇଥିବାରୁ ଦାମ ବଢ଼ିଥିବା କୁହାଯାଉଛି।