ଦୂର୍ଗାପୂଜା ମଣ୍ଡପରେ ଲାଇଟ୍‌ ଲଗାଉଥିଲେ ଜଗନ୍ନାଥ: ହଠାତ୍‌ ଲାଗିଲା କରେଣ୍ଟ୍‌, ଆଉ ତା’ପରେ…

ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟ ବିଷୋୟୀ ସାହିର ଜଗନ୍ନାଥ ବିଷୋୟୀ(୧୮) ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଶନିବାର ଭୋର ପ୍ରାୟ ୩ ଟାରେ ଗ୍ରାମର ଦୂର୍ଗାପୂଜା ମଣ୍ଡପରେ ଜଗନ୍ନାଥ ଲାଇଟ ଲଗାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଏନେଇ ପୋଲିସକୁ ଖବର କରିଥିଲେ।

ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୪୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ପରେ ଏଏସଆଇ ଝୁନୁ ମାଝୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜଗନ୍ନାଥ ଯୁକ୍ତ ୨ ପଢ଼ିବା ପରେ ବ୍ରହ୍ମପୁର ର ଏକ ଲାଇଟ ଆଣ୍ଡ ସାଉଣ୍ଡ ଦୋକାନରେ କାମ କରୁଥିଲେ। ସେ ଶୁକ୍ରବାର ଘରେ ରାତ୍ରି ଭୋଜନ ସାରିବା ପରେ ଗାଁର ପୂଜା ମଣ୍ଡପ କୁ ସାଜସଜ୍ଜା କରିବାକୁ ଯାଇଥିଲେ। ସେଠାରେ ମା’ ଦୂର୍ଗାଙ୍କ ମୂର୍ତ୍ତି ନିର୍ମାଣ କାମ ଚାଲିଥିଲା। ଜଗନ୍ନାଥ ମନ୍ଦିରରୁ ମଣ୍ଡପକୁ ଅସ୍ଥାୟୀ ଭାବେ ବିଦ୍ୟୁତ ତାର ଟଣା ଯାଇଥିଲା। କୌଣସି କାରଣରୁ ରାତି ପ୍ରାୟ ୩ରେ ପୂଜା ମଣ୍ଡପ ରେ ଲାଗିଥିବା ହେଲୋଜେନ ଲାଇଟ ଲିଭି ଯାଇଥିଲା। ବିଚ୍ଛିନ୍ନ ହୋଇଯାଇଥିବା ବିଦ୍ୟୁତ ତାରକୁ ଜଗନ୍ନାଥ ସଜାଡୁଥିବାବେଳେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସେ ଗୁରୁତର ହୋଇପଡିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୋଲିସ କହିଛି।

 

Dharitri – Odisha’s No.1 Odia Daily

 

Share