ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ପଂଚାୟତ (ବ୍ଲକ ମୁଖ୍ୟ କାର୍ଯ୍ୟାଳୟ)କୁ ଏନଏସିରେ ପରିଣତ କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ରାଜ୍ୟ ସରକାର ତାହା ଘୋଷଣା କରିବାକୁ ଯାଉଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସ୍ଥାନୀୟ ଟାଉନ ହଲରେ ଅନୁଷ୍ଟିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହା ଘୋଷଣା କରିଥିଲେ। ଏଥିସହ ସେ କହିଥିଲେ, ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ଗତ ସରକାର ଘୋଷଣା କରିଥିଲେ। କିନ୍ତୁ ତାହାକୁ କାର୍ଯ୍ୟକାରୀ କରି ନ ଥିଲେ। ମୁଁ ବିଧାୟକ ହେବାପରେ ମ୍ୟୁନିସିପାଲଟି ପାଇଁ ଯାହା କାଗଜପତ୍ର ଦରକାର ତାହା କରାଯାଉଛି । ମ୍ୟୁନିସିପାଲଟି ହେଲେ ଆଉ ୫ଟି ପଞ୍ଚାୟତ ମିଶିବ। ୪ଟି ପଞ୍ଚାୟତ ଏନଏସିରେ ମିଶିବା ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। କିନ୍ତୁ ଆଉ ଗୋଟିଏ ଦେଇ ନ ଥିଲା । ବିକଳ୍ପ ଆଇନ ବଳରେ ସଂପୃକ୍ତ ପଞ୍ଚାୟତକୁ ମିଶାଇବା ପାଇଁ ପଦକ୍ଷେପ ନିଆଯାଇଥିଲା। ଖୁବଶୀଘ୍ର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ମିଳିବ ବୋଲି ବିଧାୟକ ନାୟକ କହିଥିଲେ। ରାଜ୍ୟରେ ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବା ପାଇଁ ୫୦୦୦ ନୂତନ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି ଖାଲିଥିବା ପଦବୀ ପୂରଣ ପାଇଁ। ନୂତନ ନିଯୁକ୍ତିରେ ଭଞ୍ଜନଗର ମେଡ଼ିକାଲକୁ ପ୍ରଧ୍ୟାନ୍ୟ ଦିଆଯିବ। ଫଳରେ ଭଞ୍ଜନଗର ମେଡିକାଲ ରୋଗୀ ସେବାରେ ଆହୁରି ଉନ୍ନତୀ ଆସିବ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନର ଉନ୍ନତିକରଣ କରାଯାଉଛି । ପୁରାତନ ଐତିହ୍ୟର ସୁରକ୍ଷା ପାଇଁ ବିପୁଳ ଅର୍ଥ ବ୍ୟୟ ହେଉଛି। ଆଗାମୀ ୫ ବର୍ଷ ମଧ୍ୟରେ ଭଞ୍ଜନଗର ନିର୍ବାଚନମଣ୍ଡଳୀ କୁ ରାଜ୍ୟର ଏକ ଅଗ୍ରଣୀ ନିର୍ବାଚନମଣ୍ଡଳୀ ଭାବେ ଗଢି ତୋଳାଯିବ ବୋଲି ବିଧାୟକ କହିଥିଲେ।


