
ବର୍ମିହାମ,୪।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ (WTC) ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି କରିପାରି ନାହାଁନ୍ତି। ଇଂଲଣ୍ଡ ବିପକ୍ଷରେ ଏଜବାଷ୍ଟନ ଟେଷ୍ଟରେ ୮୯ ରନର ଏକ ଦୃଢ଼ ଇନିଂସ ଖେଳିବା ପରେ, ଜାଡେଜା WTCରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଜାଡେଜା ତାଙ୍କର ୪୧ତମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଏବଂ ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।
ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ, ଜାଡେଜା ୮୯ ରନ କରି WTCରେ ୨୦୦୦ ରନ ଏବଂ ୧୦୦ରୁ ଅଧିକ ଉଇକେଟ ନେବାର ବିଶ୍ୱ ରେକର୍ଡ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ଏପର୍ଯ୍ୟନ୍ତର ପରିସଂଖ୍ୟାନ ତାଙ୍କୁ ଟେଷ୍ଟ କ୍ରିକେଟର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ କରିଥାଏ।
ମୋଟ ରନ – ୨୦୦୦ ରୁ ଅଧିକ
ମୋଟ ଉଇକେଟ – ୧୩୨
ଶତକ – ୩
ଅର୍ଦ୍ଧଶତକ – ୧୩
୫ ଉଇକେଟ – ୬ ଥର
୪ ଉଇକେଟ – ୬ ଥର
ଏହି ସଂଖ୍ୟା ସହିତ, ଜାଡେଜା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ସବୁଠାରୁ ପ୍ରଭାବଶାଳୀ ଅଲରାଉଣ୍ଡର ପ୍ରମାଣିତ ହୋଇଛନ୍ତି।
ଏଜବାଷ୍ଟନ ଗ୍ରାଉଣ୍ଡ ଜାଡେଜା ପାଇଁ ସର୍ବଦା ସ୍ବତନ୍ତ୍ର ରହିଛି। ୨୦୨୨ରେ ମଧ୍ୟ, ସେ ଏହି ଗ୍ରାଉଣ୍ଡରେ ଏକ ଶତକ ହାସଲ କରିଥିଲେ ଏବଂ ରିଷଭ ପନ୍ତଙ୍କ ସହିତ ୨୨୨ ରନର ଭାଗୀଦାରି କରିଥିଲେ। ଏଥର ସେ ଗିଲ ସହିତ ୨୦୩ ରନର ଭାଗୀଦାରି କରିଥିଲେ।
ଭାରତୀୟ ଦଳର ପ୍ରଥମ ଇନିଂସରେ ଯେତେବେଳେ ୫ଟି ୱିକେଟ ୨୧୧ ରନରେ ପଡ଼ିଥିଲା, ଜାଡେଜା ଶୁଭମନ ଗିଲ ସହିତ ଦାୟିତ୍ୱ ନେଇଥିଲେ। ଉଭୟ ଷଷ୍ଠ ଉଇକେଟ ପାଇଁ ୨୦୩ ରନର ଭାଗୀଦାରି କରିଥିଲେ ଏବଂ ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଜାଡେଜା ୮୯ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ପୁଣି ଥରେ ଦେଖାଇଥିଲେ ଯେ ଏଜବାଷ୍ଟନ ତାଙ୍କର ପ୍ରିୟ ପଡ଼ିଆ।
ଏବେ ଜାଡେଜା ତାଙ୍କ ବୋଲିଂରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଚେଷ୍ଟା କରିବେ ଏବଂ ଏଜବାଷ୍ଟନରେ ଭାରତକୁ ଏକ ଐତିହାସିକ ବିଜୟ ଦେବେ।